ମହାନଦୀ ଜଳ ବିବାଦ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମହାନଦୀ ଜଳ ବିବାଦ ପ୍ରସଙ୍ଗ। ଆଜି ସ୍ଵତନ୍ତ୍ର ଟ୍ରିବ୍ୟୁନାଲରେ ଥିଲା ଶୁଣାଣି। ବିବାଦର ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଂଚିଛି। ସେପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଥିବା ଚିଠି ଉପରେ ସହମତି ଜଣାଇ ଉତ୍ତର ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ଆପୋଷ ଆଲୋଚନାରେ ବିବାଦର ସମାଧାନ ନେଇ ସହମତି ପ୍ରକାଶ କରିଛନ୍ତି ବିଷ୍ଣୁଦେଓ ସାଏ। ସେପଟେ ବିବାଦର ସମାଧାନ ସରକାର ଜାଣିଶୁଣି କରୁନଥିବା କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି। ବିବାଦର ସମାଧାନ ଲାଗି ବିରୋଧୀ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ସରକାର।
ଟ୍ରିବ୍ୟୁନାଲରେ ଶୁଣାଣି ନେଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। କେନ୍ଦ୍ର ସରକାର ହସ୍ତକ୍ଷେପ କଲେ ତୁରନ୍ତ ବିବାଦର ସମାଧାନ ହେବ। ସମୟ ଗଡ଼ାଇବାକୁ ସରକାର କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି। ସେପଟେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ମହାନଦୀ ବିବାଦର ତୁରନ୍ତ ସମାଧାନ ଲାଗି ଦାବି କରିଛନ୍ତି। ମହାନଦୀ ତଳମୁଣ୍ଡର ଆଉ ଏକ ବନ୍ଧ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ।