୧୦ ବର୍ଷ ନ୍ୟାୟିକ ଲଢେଇରେ ହାରିଗଲେ ଛାୱଲା ଗଣଦୁଷ୍କର୍ମ ପୀଡିତା, ମା’ କହିଲେ ଅନ୍ୟାୟ ସହି ହଉନି

ନୂଆଦିଲ୍ଲୀ: ଆମକୁ ନ୍ୟାୟ ମିଳିବ । ୧୦ ବର୍ଷ ଧରି ନ୍ୟାୟିକ ଲଢେଇରେ ଆମର ବିଜୟ ହେବ । ହେଲେ ଏବେ ଭାବିପାରୁନୁ ଆମେ କରିବୁ କଣ ? ଭାବିବା ଶକ୍ତି ବି ସରିଗଲାଣି । କାନ୍ଦିବାକୁ ଚାହିଁଲେ ବି ଅନୁମତି ଦେଉନି ବିବେକ । ସତରେ କଣ ଆଖି ସାମନାରେ ହାରିଯାଉଛି କି ନ୍ୟାୟ ବ୍ୟବସ୍ଥା । ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ପରେ ଯେମିତି ଯନ୍ତ୍ରଣାର ବାଦଲ ମୁଣ୍ଡ ଉପରେ ବର୍ଷା ହୋଇ ଅଜାଡି ହୋଇ ପଡିଛି । ମାନ୍ୟବର କୋର୍ଟଙ୍କୁ ପଚାରିବାକୁ ଇଚ୍ଛା ହେଉଛି ଏ କେମିତିକା ନ୍ୟାୟ ? ମୃତ୍ୟୁଦଣ୍ଡ ବଦଳରେ କାହିଁକି ମୁକ୍ତିର ମହାଆନନ୍ଦ । ଅଦାଲତଙ୍କ ଏଭଳି ଅନ୍ୟାୟ ନା ସହିପାରୁଛୁ ନା କାହାକୁ କହିପାରୁଛୁ । ଝିଅକୁ ନ୍ୟାୟ ଦେବ କିଏ ? ସର୍ବୋଚ୍ଚ କୋର୍ଟଙ୍କ ଉପରେ ଆଉ ଅଛି କିଏ ? ଏ ହେଉଛି ଜଣେ ଅସହାୟ ମା’ର ବୁକୁଫଟା ଅଭିମାନ ।

ଆମେ କହୁଛୁ ଦିଲ୍ଲୀ ଛାୱଲା ଅପହରଣ ଓ ଗଣଦୁଷ୍କର୍ମ କଥା । ୨୦୧୨ରେ ଘଟାଇଥିବା ଏହି ଜଘନ୍ୟ କାଣ୍ଡ ପାଇଁ ୩ ଦୋଷୀଙ୍କୁ ଆଜି ମୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ, ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଯାହାପରେ ଦେଶରେ ଅସନ୍ତୋଷର ମାହୋଲ ଦେଖାଦେଇଛି । କୋର୍ଟଙ୍କ ଏଭଳି ରାୟ ପରେ କେମିତି ସୁରକ୍ଷିତ ରହିବେ ମହିଳା ? ଅପରାଧୀର ଛାତିରେ କିଭଳି ପଶିବ ଆଇନର ଛନକ ? କେଉଁ ଆଧାରରେ ସେମାନଙ୍କୁ ମୁକ୍ତ କରାଯାଇଛି ? ଏଭଳି ଅନେକ ପ୍ରଶ୍ନ ଭିତରେ ନ୍ୟାୟପାଳିକା ଉପରୁ ଭରସା ଉଠିଯାଇଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଣ୍ଟି ରେପ୍‌ ଆକ୍ଟିଭିଷ୍ଟ ଯୋଗିତା ଭୟାନା ।

ଗତ ଫେବ୍ରୁଆରୀ ୨୦୧୪ରେ ଅଭିଯୁକ୍ତ ରବି କୁମାର, ରାହୁଲ ଓ ବିନୋଦଙ୍କୁ ଦିଲ୍ଲୀର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଅପହରଣ, ଦୁଷ୍କର୍ମ ଓ ହତ୍ୟା ଆଦି ଦଫା ସେମାନଙ୍କ ବିରୋଧରେ ଲାଗିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ କୋର୍ଟ । ନିମ୍ନ କୋର୍ଟଙ୍କ ରାୟ ବିରୋଧରେ ଅଭିଯୁକ୍ତ ଯାଇଥିଲେ ଦିଲ୍ଲୀ ହାଇକୋର୍ଟ । ହେଲେ ତିନି ଦୋଷୀଙ୍କୁ ହିଂସ୍ର ଜନ୍ତୁର ଆଖ୍ୟା ଦେଇଥିଲେ କୋର୍ଟ । ଏଭଳି ଜନ୍ତୁ ଶିକାର ଖୋଜୁଥାନ୍ତି କହି ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ ଦିଲ୍ଲୀ ହାଇକୋର୍ଟ। ଯାହା ବିରୋଧରେ ୩ ଅଭିଯୁକ୍ତ ହୋଇଥିଲେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ । ଏପରିକି ପୀଡିତାଙ୍କ ପରିବାର ନ୍ୟାୟ ମିଳିବା ଦାବିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ଭେଟିଥିଲେ । କିନ୍ତୁ ଏଭଳି ଘଟଣା ସାଧାରଣ କଥା କହି ଫେରାଇ ଦେଇଥିଲେ ସେତେବେଳର ଶାସକ ।

କଣ ଥିଲା ସେଇ ହୃଦୟ ବିଦାରକ ଘଟଣା ?

ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ଘରୁ ଗୋଡ କାଢିଥିଲେ ପୀଡିତା । ସବୁଦିନ ପରି ସେଦିନ ବି କାମରୁ ଫେରିବା ସମୟରେ ଯୁବତୀଙ୍କୁ ଏକ କାରରେ ଅପହରଣ କରିଥିଲେ ଦୁଷ୍କର୍ମକାରୀ । ସେଠାରୁ ହରିୟାଣା ନେଇଯାଇ ତିନି ଦିନ ଲଗାତାର ଗଣଦୁଷ୍କର୍ମ କରିଥିଲେ । ତଥାପି ନରରାକ୍ଷସଙ୍କୁ ଶାନ୍ତି ମିଳି ନଥିଲା । ପୀଡିତାଙ୍କ ମୁହଁରେ ଏସିଡ ଢାଳି ନଷ୍ଟ କରିବା ସହ ଗରମ ରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ । କିଛି ଦିନ ପରେ ଏକ ସୋରିଷ କ୍ଷେତରୁ ପୀଡିତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମହିଳାଙ୍କ ଗୁପ୍ତାଙ୍ଗରୁ ବିଅର ବୋତଲ ମିଳିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଥିଲା ।