ଶୁକ୍ରବାରରେ ଜମିବ କୁକୁଡ଼ା ଝୋଳ, ଗାଡ଼ି ଦୁର୍ଘଟଣା ପରେ ନେଇ ଗଲେ କୁକୁଡ଼ା

ଗଜପତି: କଥାରେ ଅଛି ବିଲେଇ କପାଳକୁ ଶିକା ଛିଡ଼ିଲା। ଏମିତି କିଛି ଦୃଶ୍ୟ ଆଜି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ଶୁକ୍ରବାରେ ଅଧିକ ଲୋକ ଆମିଶ ଖାଇବାକୁ ପସନ୍ଦ କରିଥାନ୍ତି। ଆଉ ଆଜି ହିଁ ଲେଉଟିଛି କୁକୁଡ଼ା ଗାଡ଼ି। ଗଛକୁ ଧକ୍କା ଦେଇଛି କୁକୁଡ଼ା ବୋଝେଇ ଟ୍ରକ। ଆଜି ସକାଳୁ ସେଞ୍ଚୁରିଆନ ୟୁନିଭରସିଟି ଓ ରଣଦେଇ ଛକ ମଝିରେ ଘଟିଛି ଏହି ଦୁର୍ଘଟଣା। ବ୍ରହ୍ମପୁର ଠାରୁ ଗୁଣୁପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନ।

ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଅଧାରୁ ଅଧିକ କୁକୁଡ଼ାର ମୃତ୍ୟୁ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛିଯେ ଦୁର୍ଘଟଣା ପରେ ଆଜି ସେହି ଅଞ୍ଚଳର ସମସ୍ତଙ୍କ ଘରେ ହେବ କୁକୁଡ଼ା ଝୋଳ। ଏହାର କାରଣ ହେଉଛି ଦୁର୍ଘଟଣାଗ୍ରସ୍ତ ପିକ୍ଅପ ଭ୍ୟାନରେ ୪ ଲକ୍ଷ ୫୦ ହଜାର ଟଙ୍କାର କୁକୁଡା ଯାଉଥିବା ବେଳେ ଘଟଣାସ୍ଥଳରେ କେହି ନଥିବା ସୁଯୋଗ ନେଇ ସମସ୍ତ କୁକୁଡ଼ା ଆଖପାଖ ଲୋକେ ନେଇଯାଉଥିବା ଦେଖିବାକୁ ମିଳିଛି। ଖବରପାଇ ଘଟଣାସ୍ଥଳକୁ ପହଞ୍ଚିଥିଲେ ମାଲିକ।

ହେଲେ ପହଞ୍ଚିଲା ବେଳକୁ ସବୁ ଖାଲି। ଦୀର୍ଘ ସମୟ ପରେ ଗୁରାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏତେ ମୂଲ୍ୟର କୁକୁଡ଼ା କ୍ଷତି ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ମାଲିକ।

Leave a Reply