କଟକରେ ବକ୍ସ ଡ୍ରେନର ଆଜି ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

କଟକ: ଇତିହାସ ହେବ କଟକର ନାଳ ସମସ୍ୟା । ବହୁ ପ୍ରତୀକ୍ଷିତ ବକ୍ସ ଡ୍ରେନର ଆଜି ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ସହର ମଧ୍ଯ ଦେଇ ପଟ୍ଟାପୋଲଠାରୁ ଛତ୍ରବଜାର ପର୍ଯ୍ୟନ୍ତ ଯାଇଥିବା ବିରାଟ ନାଳ ଉପରେ ବକ୍ସ ଡ୍ରେନ ସହ ତା ଉପରେ ହୋଇଥିବା ସୁନ୍ଦର ରାସ୍ତାକୁ ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ । ଦିନ ସାଢେ ୧୧ଟାରେ ନବୀନ ଏହାର ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ୪୫୦ କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି । ବକ୍ସ ଡ୍ରେନ ଦ୍ବାରା ପଟ୍ଟାପୋଲଠାରୁ ବର୍ଷା ଜଳ ଓ ନର୍ଦ୍ଦମାର ପାଣି ସହଜରେ ନିଷ୍କାସିତ ହେବ ।

ଏହା ଉପରେ ପଟ୍ଟାପୋଲ ଠାରୁ ବକ୍ସିବଜାର ଗମ୍ମାଢିଆ ପର୍ଯ୍ୟନ୍ତ ଦୁଇ ଥାକିଆ, ସେଠାରୁ ଛତ୍ରବଜାର ପର୍ଯ୍ୟନ୍ତ ତିନିଥାକିଆ ରାସ୍ତା ଦେଇ ଛୋଟ ବଡ ସବୁ ଗାଡି ସହଜରେ ଯାଇ ପାରିବ। ରାସ୍ତାର ଫୁଟପାଥ୍ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ଯ  କରାଯାଇଛି ।  ବର୍ଷ ବର୍ଷ ଧରି ଏହି ଡ୍ରେନର ଅପରିଷ୍କାର ପାଣି, ପଙ୍କ ଓ ଆବର୍ଜନାରେ କଟକବାସୀ ହନ୍ତସନ୍ତ ହେଉଥିଲେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବକ୍ସ ଡ୍ରେନ କରିବାକୁ ଅନୁମୋଦନ କରିଥିଲେ ମୁଖ୍ଯମନ୍ତ୍ରୀ । ଫାଇଭ-ଟି ଉପକ୍ରମରେ ମାତ୍ର ଦୁଇ ବର୍ଷ ଭିତରେ କାମ ସମ୍ପୂର୍ଣ୍ଣ ହୋଇଛି । ଏହା ସହରର ପରିବେଶକୁ ସୁନ୍ଦର କରିବା ସହ ସାଧାରଣ ଲୋକଙ୍କ ଗମନାଗମନକୁ ସୁଗମ କରିଛି ।