spot_img

Latest Posts

ଓଡିଶା ଖଣି ନିଗମର ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।  ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖଣି ଓ ଧାତବ ଶିଳ୍ପ ଉପରେ ଓଡ଼ିଶା ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି । ଏହି କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ  1  3 MS System ଆରମ୍ଭ କରାଯାଇଛି  ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ଼ ବଡ଼ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି । ଏଥିସହ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାର ଦକ୍ଷତା ଓଡିଶାର ରହିଛି। ରାଜ୍ୟର ଶିଳ୍ପ ଅନୁକୂଳ ପଦକ୍ଷେପ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିଛି । ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଖଣି କ୍ଷେତ୍ରରେ ସଂସ୍କାରକୁ ରାଜ୍ୟ ସରକାର ସବୁବେଳେ ସମର୍ଥନ ଦେଇଆସିଛନ୍ତି ଏବଂ ଏହାଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । କହିଛନ୍ତି ଯେ ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ୱାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ।  ଏହି ଦୁଇଟି ଖଣିକୁ OMCକୁ ଆବଣ୍ଟନ କରିବା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ OMC  ମଧ୍ୟ ଏହି ଖଣି ଦୁଇଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ତ୍ୱିରିତ ପଦକ୍ଷେପ ନେଇଥିବାରୁ ସେ OMCକୁ ବି ସାଧୁବାଦ ଜଣାଇଛନ୍ତି।

ସେହିପରି ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଓଡିଣା ଖଣିଜ ସଂପଦରେ ସମୃଦ୍ଧ। ତେଣୁ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କଲେ ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତି ସମୃଦ୍ଧ ହେବ। ଏହି ଦୁଇଟି ନୂଆ ଖଣିରୁ ରାଜ୍ୟ ସରକାର ବାର୍ଷିକ ୪ ରୁ ୫ ହଜାର କୋଟି ଟଙ୍କା ରାଜସ୍ୱ ଭାବରେ ପାଇବେ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହିତ ଲୁହାପଥର ବଜାରରେ ଦେଖା ଦେଇଥିବା ଅଭାବ ଦୂର କରିବାରେ ମଧ୍ୟ ସହାୟକ ହେବ। ଏଥିସହ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମିଳିମିଶି କାମ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ବିନୀ ବୈଷ୍ଣବ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।  ଖଣି ନିଗମର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବଲୱନ୍ତ ସିଂ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଏହି ଖଣି ଦୁଇଟିରୁ ବାର୍ଷିକ ୧୨ ବିଲିଅନ ଟନ୍‌ ଲୁହାପଥର ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଜିଲ୍‌ଙ୍ଗ ଲାଙ୍ଗଲୋଟା ୭୯.୧୨ MT  ଲୁହାପଥର ଥିବାବେଳେ ଏଥିରୁ ବାର୍ଷିକ ୬.୨୮ ମିଲିଅନ ଟନ୍‌ ଉତ୍ପାଦନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି। ସେହିପରି ୧୯୪.୯୪ MT ଲୁହାପଥର ଥିବା ଗୁଆଳି ଖଣିରୁ ବାର୍ଷିକ ୫.୭ ମିଲିଅନ ଟନ୍‌ ଲୁହାପଥର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ମିଳିଛି।  ଏହି ଦୁଇଟି ନୂଆ ଖଣି ପାଇବା ପରେ OMCର ବାର୍ଷିକ ଉତ୍ପାଦନ ୨୦ ବିଲିଅନ ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

Latest Posts

Don't Miss