କଳାହାଣ୍ଡିବାସୀଙ୍କୁ ୧୨ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଆଜି କଳାହାଣ୍ଡିର ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀ ଦେଖିବେ ବିକାଶର ନୂଆ ସୂର୍ଯ୍ୟୋଦୟ । କଳାହାଣ୍ଡି ଯାଇ ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ  ।  ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାର ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ପହଞ୍ଚିବେ । ସେଠାରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଛାତ୍ରଛାତ୍ରୀଙ୍କ ସହିତ ନବୀନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି  । ୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । ୧୦୦ ସିଟରେ ନାମଲେଖା ପାଇଁ NMC ଠାରୁ ଅନୁମତି ଦେଇଛି ।  ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି । ସେଠାରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆକୁ ଯିବେ ମୁଖ୍ୟମନ୍ତ୍ରୀ  ।

ସେଠାରେ କଳାହାଣ୍ଡି ଜିଲ୍ଲାରେ ଐତିହାସିକ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିବେ  । ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି  । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।