ଚୀନର ବିଦେଶ ମନ୍ତ୍ରୀଙ୍କ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଗାଏବ, ୨ ସପ୍ତାହ ହେବ ଅଛନ୍ତି ନିଖୋଜ

1 min read

ବେଜିଂ: ଚୀନ୍ ନିଜ ମନ୍ତ୍ରୀମାନଙ୍କ ଗାଏବ ହେବା ନେଇ ନାଟକ କରୁଛି । ପ୍ରଥମେ ବିଦେଶମନ୍ତ୍ରୀ ଆଉ ଏବେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଗାଏବ ହୋଇଥିବା ନେଇ ଖବର ଆସିଛି । ତେବେ ଏମାନେ ନିଖୋଜ ହେବା ରହସ୍ୟ ହୋଇ ରହିଯାଉଛି । ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନନେବା ନେଇ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଷ୍ପତ୍ତି ନେଇଥିଲେ । ଯାହା କି ଚର୍ଚ୍ଚାର ବିଷୟ ରହିଥିଲା । କିନ୍ତୁ ଏହାଠୁ ଅଧିକ ଜଣେ ଚୀନ୍ ଅଧିକାରୀଙ୍କ ନିଖୋଜ ଘଟଣା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ପ୍ରାୟ ୨ ସପ୍ତାହ ହେବ ଗାଏବ ଅଛନ୍ତି । କାହାକୁ ଜଣାନାହିଁ ଯେ ସେ କେଉଁଠି ଅଛନ୍ତି । ଏବେ ତାଙ୍କର ଅନୁପସ୍ଥିତିକୁ ନେଇ ଗୁଜବ ବ୍ୟାପିବାର ଲାଗିଛି । ଏ ସମ୍ପର୍କରେ ଜାପାନରେ ୟୁଏଏସର ରାଷ୍ଟ୍ରଦୂତ ରହମ ଏମାନୁଏଲ ଗତ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟିପ୍ପଣୀ ମଧ୍ୟ କରିଥିଲେ ।

ଏହା ଚୀନରେ ଦ୍ୱିତୀୟ ହାଇ-ପ୍ରୋଫାଇଲ ନିଖୋଜ ଅଟେ । ଏହା ପୂର୍ବରୁ ବିଦେଶ ମନ୍ତ୍ରୀ କିନ ଗ୍ୟାଙ୍ଗ ମଧ୍ୟ ଜନସାଧାରଣଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇଯାଇଥିଲେ । ଏହାପରେ ତାଙ୍କୁ ବହିଷ୍କାର କରାଯାଇ ତାଙ୍କ ସ୍ଥାନରେ ନୂଆ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ବେଜିଂରେ କଣ ଚାଲିଛି? ଏ ସମ୍ପର୍କରେ ବର୍ତ୍ତମାନ କାହାକୁ କିଛି ଜଣାନାହିଁ । ଲି ଶାଙ୍ଗଫୁ ଚଳିତ ବର୍ଷ ମାର୍ଚ୍ଚରେ ୱେଇ ଫେଙ୍ଗହେଙ୍କ ସ୍ଥାନରେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ସେ ଗତ ବର୍ଷ ଅକ୍ଟୋବରରେ କମ୍ୟୁନିଷ୍ଟ ପାର୍ଟିର କଂଗ୍ରେସରେ କେନ୍ଦ୍ରୀୟ ସୈନ୍ୟ କମିଶନରୁ ଇସ୍ତଫା ଦେଇଥିଲେ । କୌତୁହଳର ବିଷୟ ଏହା ଯେ ଗତ ଚାଇନିଜ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିପରୀତ ଲି ଏକ ସୈନ୍ୟ ପରିବାରରୁ ଆସିଛନ୍ତି ।

ଲିଙ୍କ ଦିବଙ୍ଗତ ବାପା, ଲି ଶାଓଜୁ, ଜଣେ ରେଡ ଆର୍ମୀରେ ଭେଟେରାନ ଥିଲେ, ଯିଏକି ୧୯୩୦ ଏବଂ ୧୯୪୦ ଦଶକ ମଧ୍ୟରେ ଜାପାନ ବିରୋଧୀ ଯୁଦ୍ଧରେ ଲଢିଥିଲେ । ଗୃହଯୁଦ୍ଧ ଏବଂ ପରବର୍ତ୍ତୀ କୋରିଆନ ଯୁଦ୍ଧ ସମୟରେ ଲଜିଷ୍ଟିକ ରେଲୱେର ପୁନନିର୍ମାଣରେ ତାଙ୍କ ଭୂମିକା ପାଇଁ ସେ ବେସ୍ ଜଣାଶୁଣା ଥିଲେ । ଜାପାନରେ ଆମେରିକୀୟ ରାଷ୍ଟ୍ରଦୂତ ରହମ ଏମାନୁଏଲଙ୍କ ଏକ ଟ୍ୱିଟ୍ ପରେ ଲି ଶାଙ୍ଗଫୁଙ୍କ ଗାଏବ ହେବାର ଖବର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବ୍ୟାପିଯାଇଥିଲା । ହଂକଂ ସ୍ଥିତ ଇଂରାଜୀ ଭାଷାର ଖବରକାଗଜ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ତାଙ୍କୁ ଶେଷଥର ପାଇଁ ୨୯ ଅଗଷ୍ଟରେ ବେଜିଂରେ ଚୀନ-ଆଫ୍ରିକା ଫୋରମକୁ ସମ୍ବୋଧିତ କରିବା ସମୟରେ ଦେଖାଯାଇଥିଲା ।