ଗାଁରେ ଯାଇ କାମ ଖୋଜିବାକୁ ଯୁବପୀଢୀଙ୍କୁ ଚୀନ ସରକାରଙ୍କ ଚେତାବନୀ

1 min read

ବେଜିଂ: ବେକାରୀଙ୍କୁ ସରକାର ନିଯୁକ୍ତି ଦେବାକୁ ଭାରତରେ ଦାବି ହେବା ସ୍ବାଭାବିକ କଥା । ମାତ୍ର ଚୀନର ସବୁଠାରୁ ଧନୀ ପ୍ରଜାତନ୍ତ୍ରରେ କରାଯାଇଥିବା ନୂଆ ନିୟମ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଦେଶରେ ବେକାରୀ ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଗୁଆଙ୍ଗଦଙ୍ଗ ପ୍ରଜାତନ୍ତ୍ର କର୍ତ୍ତୃପକ୍ଷ କରିଛନ୍ତି ନୂଆ ନିୟମ । ଗାଁକୁ ଯାଇ କାମ ଖୋଜିବାକୁ ପ୍ରାୟ 3 ଲକ୍ଷ ଗ୍ରାଜୁଏଟ ବେକାର ଯୁବକଯୁବତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଗୁଆଙ୍ଗଦଙ୍ଗର ପଡୋଶୀ ସହର ହେଉଛି ବିଶ୍ବର ଅନ୍ୟତମ ସମୃଦ୍ଧ ସହର ହଂକଂ । ତେବେ ସେଠାରେ ନିଯୁକ୍ତି ଦେବା ସପକ୍ଷରେ ନାହାନ୍ତି ସରକାର । ଗୁଆଙ୍ଗଦଙ୍ଗ କର୍ତ୍ତୃପକ୍ଷ କହିଛନ୍ତି- ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା କଲେଜ ଗ୍ରାଜୁଏଟ ଓ ଯୁବ ଉଦ୍ୟୋଗପତିମାନେ ଗ୍ରାମକୁ ଯାଇ କାମ ଖୋଜିବେ । ସେହିପରି ଗ୍ରାମାଞ୍ଚଳର ଯୁବକଯୁବତୀମାନେ ନିଜ ଅଞ୍ଚଳରେ ରହି କାମଧନ୍ଦା ଖୋଜିବାକୁ ବି ଦିଆଯାଇଛି ପରାମର୍ଶ । ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାକୁ ହେଲେ ସହରାଞ୍ଚଳ ଯୁବକମାନେ ଗ୍ରାମାଞ୍ଚଳକୁ ଯାଇ କାମ ଧନ୍ଦା ଖୋଜିବାକୁ ଗତ ଡିସେମ୍ବର 2022ରେ ରାଷ୍ଟ୍ରପତି ସି ଜିନପିଙ୍ଗ ଆହ୍ବାନ ଦେଇଥିଲେ ।

ଜିନପିଙ୍ଗଙ୍କ ଏହି ନିର୍ଦ୍ଦେଶକୁ ପ୍ରାଥମିକତା ଦେଇଛନ୍ତି ଗୁଆଙ୍ଗଦଙ୍ଗ କର୍ତ୍ତୃପକ୍ଷ । ଅତୀତର ମାଓ ଜେ ଦୁଂଙ୍କ ସମୟରେ ବି ଗ୍ରାମାଞ୍ଚଳରେ କାମଧନ୍ଦା କରିବାକୁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ପଠାଇଦିଆଯାଇଥିଲା । ଚୀନରେ ବର୍ତ୍ତମାନ ବେକାରୀ ଯଥେଷ୍ଟ ବଢିବାରେ ଲାଗିଛି । ପ୍ରତି 5 ଜଣରେ ଜଣେ ବେକାର ଥିବା ସୂଚନା ମିଳିଛି । ଦେଶରେ 16ରୁ 24 ବର୍ଷ ବୟସ୍କ ବେକାରଙ୍କ ହାର ଜାତୀୟ ହାରର 19 ଦଶମିକ 6 ପ୍ରତିଶତ ରହିଛି । ସର୍ଭେ ଅନୁସାରେ ଚୀନର ବିଭିନ୍ନ ସହରରେ ବେକାରଙ୍କ ସଂଖ୍ୟା 1 କୋଟି 10 ଲକ୍ଷ ରହିଛନ୍ତି । ଦେଶର ଅର୍ଥନୀତିରେ ଘାଟା ଆସିଥିବାବେଳେ ଦେଶରେ ଚାକିରି ଅନୁପାତ ବ୍ୟାପକ ହ୍ରାସ ପାଇଛି । ଆଇଟି କ୍ଷେତ୍ର ଧିମେଇ ଯିବାର ପ୍ରଭାବ ନିଯୁକ୍ତି କ୍ଷେତ୍ର ଉପରେ ପଡୁଛି ।