ନର୍ଥକୋରିଆର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବ ଚୀନ

ନନ୍ଦିଘୋଷ ବ୍ୟୁରୋ : ବଢି଼ଲା ଚୀନର ନର୍ଥକୋରିଆ ପ୍ରୀତି । ନର୍ଥକୋରିଆର ପ୍ରତିଷ୍ଠା ଦିବସରେ ଯୋଗଦେବା ଲାଗି ଚୀନର ଉପପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପ୍ୟାଙ୍ଗୟୋଙ୍ଗ ଗସ୍ତ କରିବ ଟିମ୍ । ଆସନ୍ତା ୯ ତାରିଖ ନର୍ଥକୋରିଆର ୭୫ତମ ପ୍ରତିଷ୍ଠା ଦିବସ ହୋଇଥିବାବେଳେ ଦେଶରେ ଏହି ଦିବସକୁ ଭରପୂର ଉତ୍ସାହରେ ପାଳନ କରାଯିବ । ଉପପ୍ରଧାନମନ୍ତ୍ରୀ ଲିଉ ଗୋଉଝୋଙ୍ଗଙ୍କ ନେତୃତ୍ବରେ ଯାଉଥିବା ଏହି ଟିମରେ ସାମିଲ ହେବ ସରକାରଙ୍କ ବହୁ ପଦସ୍ଥ ଅଧିକାରୀ । ପୂର୍ବରୁ ନର୍ଥକୋରିଆର ୭୦ତମ ପ୍ରତିଷ୍ଠା ଦିବସରେ ବି ସାମିଲ ହୋଇଥିଲେ ଗୋଉଝୋଙ୍ଗ । ସେପଟେ ନର୍ଥକୋରିଆକୁ କୌଣସି ପ୍ରକାର ସାମରିକ ସହାୟତା ବନ୍ଦ କରିବା ଲାଗି ଦାବି କରିଛନ୍ତି ସାଉଥ କୋରିଆ ରାଷ୍ଟ୍ରପତି ୟୁନ ସୁକ ଇଓଲ । ଇଣ୍ଡୋନେସିଆ ଜାକର୍ତ୍ତାରେ ଆୟୋଜିତ ଆସିଆନ ସମ୍ମିଳନୀରେ ଏନେଇ ଆହ୍ବାନ ଜଣାଇଛନ୍ତି ୟୁନ । ନର୍ଥକୋରିଆ ଶାସକ କିମ ଜଙ୍ଗ ଉନ୍ ଋଷ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ଥିବାବେଳେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ସହଭାଗିତା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛି ସାଉଥକୋରିଆ ।