ନେତାଙ୍କୁ ଫସାଇବାକୁ ଜାଲ ବିଛାଉଛନ୍ତି ବିଷକନ୍ୟା

1 min read

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନର ଏକ କାର୍ଯ୍ୟ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି । ଭାରତୀୟ କୂଟନୈତିଜ୍ଞମାନେ ୟୁକ୍ରେନ ବାବଦରେ ପୂରା ବିଶ୍ୱକୁ ହୃଦବୋଧ କରାଇବାକୁ ଚେଷ୍ଟା କରୁଥିାବେଳେ ଚୀନର ପ୍ରତିନିଧିମଣ୍ଡଳକୁ ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ଅବାକ୍‌ ହୋଇଗଲା । ହେଲେ କ’ଣ ଥିଲା ପୂରା ଘଟଣା ?

ଦିଲ୍ଲୀ ସ୍ଥିତ ହୋଟେଲ ତାଜ୍‌ ପ୍ୟାଲେସର ସୁରକ୍ଷାକର୍ମୀ ଚୀନ୍‌ ପ୍ରତିନିଧିମାନଙ୍କ ସନ୍ଦିଗ୍ଧ ବ୍ୟାଗ୍‌ ଯାଞ୍ଚ୍‌ କରିବାକୁ ଯିବାବେଳେ ସେମାନେ ବ୍ୟାଗ୍‌ ଦେବାକୁ ସିଧା ସିଧା ମନା କରି ଦେଇଥିଲେ ।  କେବଳ ସେତିକି ନୁହେଁ ବରଂ ବ୍ୟକ୍ତିଗତ  ଇଣ୍ଟରନେଟ୍‌ କନେକ୍ସନ ମଧ୍ୟ ମାଗିଥିଲେ ଚୀନ୍‌ ପ୍ରତିନିଧିମଣ୍ଡଳ । ଯାହା ଚୀନ୍କୁ ସନ୍ଦେହ ଘେରକୁ ଆଣୁଛି।  ଚୀନ୍‌ ଆମେରିକାଠାରୁ ଆରମ୍ଭ କରି ଇଉରୋପ ପର୍ଯ୍ୟନ୍ତ ଗୁପ୍ତଚରବୃତ୍ତି ପାଇଁ  ସୁନ୍ଦର ସୁନ୍ଦର ଝିଅଙ୍କଠାରୁ ଆରମ୍ଭ କରି ପ୍ରଚୁର ଅର୍ଥ ବ୍ୟବହାର କରୁଛି। ଏହାକୁ ନେଇ ବ୍ରିଟେନର ଗୁଇନ୍ଦା ସଂସ୍ଥା ଗତ କିଛି ଦିନ ପୂର୍ବରୁ ଚେତାବନୀ ଦେଇଥିଲା।  ତେବେ ଚୀନର ଗୁପ୍ତଚର ସଂସ୍ଥାର ନେଟଓ୍ୱର୍କ ଉପରେ ନଜର ପକାନ୍ତୁ :

ଗଣମାଧ୍ୟମ ଅନୁସାରେ ଚୀନ୍‌ ଅଧିକାରୀ ଆମେରିକା ଏବଂ ବ୍ରିଟେନର ଅଧିକାରୀଙ୍କୁ ଫସାଇବାକୁ ସୁନ୍ଦରୀ ଯୁବତୀ ଏବଂ ଅର୍ଥ ବ୍ୟବହାର କରନ୍ତି। ଏକଦା ଏକ ସନ୍ଦିଗ୍ଧ ଚୀନ୍‌ ଏଜେଣ୍ଟ ବ୍ରିଟେନ ସଂସଦରେ ଧରା ପଡ଼ିଥିଲା । ତେବେ ବ୍ରିଟିସ୍ ଗୁଇନ୍ଦା ସଂସ୍ଥା  ଏମ-ଆଇ-୫ର ମୁଖ୍ୟ ଚେତାବନୀ ଦେଇ କହିଥିଲେଯେ ଚୀନ୍‌ ଚର୍ଚ୍ଚିତ ନେତାମାନଙ୍କୁ  ଫସାଇବାକୁ ଏବଂ ପାଶ୍ଚାତ୍ଯ ଦେଶ ଗୁଡ଼ିକର  ଗୁପ୍ତ ତଥ୍ୟ ଚୋରି କରିବା ପାଇଁ  ବଡ଼ ଧରଣର ଅଭିଯାନ ଜାରି ରଖିଛି ।  ତେବେ ବ୍ରିଟିଶ ସଂସଦରେ ଚୀନର ଏହି ସନ୍ଦିଗ୍ଧ ଗୁପ୍ତଚର ଗବେଷକ ଭାବରେ କାମ କରୁଥିଲା ।  ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗୁପ୍ତଚରର ଗୋଟିଏ ନୁହେଁ ବରଂ ଏକାଧିକ ବ୍ରିଟେନ୍‌ ସାଂସଦଙ୍କ ସହିତ ସମ୍ବଦ୍ଧ ଥିଲା ।  ଏକାଧିକ ଗୁପ୍ତ ସୂଚନା ପର୍ଯ୍ୟନ୍ତ ମଧ୍ୟ ଏହି ଗୁପ୍ତଚର ପହଞ୍ଚି ସାରିଥିଲା ।  ତେବେ ବ୍ରିଟିଶ ସଂସଦରେ ଏହା ହେଉଛି ସବୁଠାରୁ ବଡ଼ ଖୁଲାସା ।

ଏହା ପୂର୍ବରୁ ମଧ୍ୟ ଏକ କଥାର ଖୁଲାସା ହୋଇଥିଲା  । ଯେଉଁଥିରେ ଚୀନ୍‌ ଏକାଧିକ ଦେଶରେ  ସିକ୍ରେଟ୍‌ ପୋଲିସ ଷ୍ଟେସନ ଚଲାଉଥିବା କଥା ସାମ୍ନାକୁ ଆସିଥିଲା ।  ଚୀନର ଏହି ଗୁପ୍ତଚରବୃତ୍ତି ବିଷୟରେ ଜାଣିବା ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ପୂରା ମାମଲାକୁ ନେଇ ଚୀନର ପ୍ରଧାନମନ୍ତ୍ରୀ ଲି କିୟାଙ୍ଗଙ୍କ ସହିତ ଜି ୨୦ ସମ୍ମିଳନୀରେ ଆଲୋଚନା କରିଥିଲେ ।  ବ୍ରିଟେନର ସଂସଦୀୟ ଗଣତନ୍ତ୍ରରେ ଚୀନ୍‌ ହସ୍ତକ୍ଷେପକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଋଷି ସୁନକ୍ ।

ସୂଚନା ଅନୁସାରେ ଚୀନ୍ ଗୁଇନ୍ଦା ଏଜେନ୍ସି  ୨୦୧୮ ପରଠାରୁ ଆମେରିକା ଏବଂ ବ୍ରିଟେନରେ ବହୁଳ ଭାବରେ ସକ୍ରିୟ ରହିଛି । ଏହା ପୂର୍ବରୁ ଆମେରିକାର ଏକ ଅଦାଲତ ଚୀନର ଗୁପ୍ତଚର ସୁ ୟାନଜୁନକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ତେବେ ଚୀନ୍ ସାରା ଦୁନିଆରେ ହନିଟ୍ରାପ ନେଟଓ୍ୱର୍କ ଚଳାଉଥିବା କୁହାଯାଉଛି । ଏହି ଚୀନ୍‌ ବିଷକନ୍ୟା  ଲିଙ୍କଡଇନ୍‌ ଏବଂ ଫେସବୁକରେ ଚର୍ଚ୍ଚିତ ନେତାମାନଙ୍କୁ ଫସାଇ ହନିଟ୍ରାପର ଶିକାର କରୁଛନ୍ତି । ଅଶ୍ଲୀଳ ଫଟୋ ବ୍ୟବହାର କରି ଗୁପ୍ତ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି ।  କେବଳ ସେତିକି ନୁହେଁ ବରଂ ଚୀନ୍‌ ଯାଉଥିବା ବ୍ରିଟେନ ଅଧିକାରୀଙ୍କୁ ମଧ୍ୟ ଝିଅଙ୍କୁ ନେଇ ଭିନ୍ନ ଭିନ୍ନ ଅଫର ଦିଆଯାଉଛି ।