ଦୀପାବଳିରେ କ୍ଷତି ସହୁଛି ଚାଇନା, ଭାରତକୁ ତାତ୍ସଲ୍ୟ କଲା ଗ୍ଲୋବାଲ୍‌ ଟାଇମ୍‌ସ…

1 min read
Global Times

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଲାଗି ରହିଥିବା ଯୋଗୁଁ, ଚୀନ୍‌ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ହେଲେ ଚୀନ୍‌ ସରକାର ଏହାକୁ ମାନିବାକୁ ନାରାଜ । ସୀମା ବିବାଦ ପରେ ଚାଇନା ପ୍ରସ୍ତୁତ କରୁଥିବା ଶସ୍ତା ସାମଗ୍ରୀ ବିକ୍ରୀ ଉପରେ ପ୍ରଭାବ ପଡ଼ିଛି । ଭାରତରେ ଦୀପାବଳି ଏକ ପ୍ରମୁଖ ପର୍ବ । ଏହି ପର୍ବରେ ଭାରତୀୟ ବଜାରରେ ଅନେକ ଚାଇନା ସାମଗ୍ରୀ ବିକ୍ରୀ ହୋଇଥାଏ । ହେଲେ ଦୀର୍ଘ ଦିନ ଧରି ଭାରତରେ ବୟକଟ୍‌ ଚାଇନା ପ୍ରଡକ୍ଟ ନାରା ଦିଆଯାଉଥିବା ବେଳେ ଏଥର ଏହାର ପ୍ରଭାବ ଅଧିକ ଦେଖିବାକୁ ପଡ଼ିଛି । ଲଦାଖରେ ସୀମା ବିବାଦ ଯୋଗୁଁ ଭାରତରେ ଅନେକ ଛୋଟ ବଡ଼ ବ୍ୟବସାୟୀ ଦୀପାବଳି ସହ ଜଡିତ ଚାଇନା ଉତ୍ପାଦ ବିକ୍ରି କରିବା ବନ୍ଦ କରିଦେଇଛନ୍ତି । ଏହା ଚୀନ୍‌କୁ ଏକ ଶକ୍ତ ଧକ୍କା ଲାଗିଛି ।

ଚୀନ୍‌ ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ୍ ଟାଇମ୍ସ ମଧ୍ୟ ଏନେଇ ଏକ ଆର୍ଟିକିଲ୍ ପ୍ରକାଶ କରିଛି । ହେଲେ ଆର୍ଟିକିଲରେ ସେ ଭାରତକୁ ତାତ୍ସଲ୍ୟ କରିଛି । ଏହି ଆର୍ଟିକିଲର ଶୀର୍ଷକ ରଖିଛି ‘କଣ ଗାଈ ଗୋବରରେ ତିଆରି ଦୀପ ଦ୍ୱାରା ଭାରତରେ ଭଲ ଦୀପାବଳୀ ପାଳନ କରାଯାଇ ପାରିବ ?’

ଏଥିରେ ଲେଖାଅଛି ଯେ, ଭାରତ-ଚୀନ୍‌ ମଧ୍ୟରେ ସମ୍ପର୍କ ଚଳିତ ବର୍ଷ ଖରାପ ସ୍ଥିତି ଦେଇ ଗତି କରୁଛି । ଆଉ ଏଥିରୁ ସ୍ପଷ୍ଟ ଯେ ପୂର୍ବଥର ଅପେକ୍ଷା ଏଥର ଭାରତରେ ଚାଇନା ସାମଗ୍ରୀକୁ ଅଧିକମାତ୍ରାରେ ବର୍ଜନ କରାଯିବ । ହେଲେ ଚୀନ୍‌ ସାମଗ୍ରୀ ବର୍ଜନ ନିଷ୍ପତି, ଚାଇନା ବ୍ୟବସାୟୀଙ୍କୁ ଯେତିକି କ୍ଷତି ନହେବ ତାଠାରୁ ଢ଼େର କ୍ଷତି ଭାରତୀୟ ବ୍ୟବସାୟୀଙ୍କର ହେବ । ଏମିତିକି ସେଥିରେ ଲେଖାଯାଇଛି ଯେ, ଗରୀବ ଭାରତୀୟ ମାନେ ଏଥର ଭଲରେ ଦୀପାବଳି ପାଳନ କରିପାରିବେ ନାହିଁ ।

କିଛି ରିପୋର୍ଟକୁ ଆଧାର କରିଛି ଗ୍ଲୋବାଲ ଟାଇମ୍‌ସ ଲେଖିଛି ଯେ, ଚଳିତ ଥର ଦୀପାବଳିରେ ଜୟପୁରର ବ୍ୟବସାୟୀମାନେ ଚାଇନା ସାମଗ୍ରୀ ବିକ୍ରୀ ନକରିବାକୁ ନିଷ୍ପତି ନେଇଛନ୍ତି । ଏମିତିକି ଅଧିକରୁ ଅଧିକ ଦେଶୀ ଜିନିଷ ବିକ୍ରୀ କରିବାକୁ ସେମାନେ ଚେଷ୍ଟା କରିବେ ବୋଲି କୁହଯାଉଛି । ଆଉ ଭାରତୀୟ ମଧ୍ୟ ଅଧିକ ଖର୍ଚ୍ଚ କରି ଦେଶୀ ସାମଗ୍ରୀ କିଣିବାକୁ ପ୍ରସ୍ତୁତ ଅଛନ୍ତି ।

ଏହାସହ ଆର୍ଟିକିଲରେ ଲେଖା ଅଛି ଯେ, ଭାରତୀୟମାନେ ଚଳିତ ଥର ଦୀପାବଳିରେ ଯଦି ଚୀନ୍‌ ସାମଗ୍ରୀ ବର୍ଜନ କରୁଛନ୍ତି ତେବେ ଚୀନ୍‌କୁ ପ୍ରାୟ ୪୦୦ ଅରବ ଟଙ୍କା କ୍ଷତି ହେବ । ଯାହାକି ଚୀନ୍‌ ବଜାର ପାଇଁ ସାମାନ୍ୟ ମାତ୍ର । ଚୀନ୍‌ ସାମଗ୍ରୀର ରପ୍ତାନୀ ଉପରେ ଭାରତୀୟଙ୍କ ଜ୍ଞାନ ଖୁବ୍‌ କମ୍‌ । ଛୋଟ ଏବଂ ଶସ୍ତା ସାମଗ୍ରୀ ପ୍ରସ୍ତୁତ କରିବାରେ ଚୀନ୍‌ର ଜୋଝିୟାଙ୍ଗ୍‌ ଅଞ୍ଚଳ ବିଶ୍ୱ ପ୍ରସିଦ୍ଧ । ଏହି ବଜାରରୁ ଦୀପାବଳି ସମୟରେ ଯତିକି ରପ୍ତାନୀ କରାଯାଏ ତାହା କ୍ରିସ୍‌ମାସ୍‌ ବେଳେ ହେଉଥିବା ବ୍ୟବସାୟଠାରୁ ଖୁବ୍‌ କମ୍‌ । କ୍ରିସ୍‌ମାସ୍‌ ସମୟର ବ୍ୟବସାୟ ତୁଳନାରେ ଦୀପାବଳିର ବ୍ୟବସାୟ କିଛି ନୁହେଁ କହିଲେ ଚଳେ ।

ମହାମାରୀ କରୋନା ଏବଂ ଭାରତ-ଚୀନ୍‌ ସୀମା ବିବାଦ ଯୋଗୁଁ, ଅନେକ ଚାଇନା କମ୍ପାନୀ କ୍ଷତିରୁ ବଞ୍ଚିବା ପାଇଁ ସେମାନଙ୍କର ବ୍ୟବସାୟକୁ ଘରୋଇ ବଜାର ଏବଂ ପଡୋଶୀ ଦେଶକୁ ସ୍ଥାନାନ୍ତର କରିଛନ୍ତି । ଯେଉଁ କମ୍ପାନୀମାନେ ଭାରତରେ ବ୍ୟବସାୟ କରୁଛନ୍ତି ସେମାନେ ମଧ୍ୟ କ୍ଷତିରୁ ବଞ୍ଚିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତର ବାଣିଜ୍ୟ ନୀତି ଏବଂ ଟାରିଫ୍‌ ପ୍ଲାନ୍‌ ଯୋଗୁଁ ଅନେକ କମ୍ପାନୀ ଆଡ୍‌ଭାନ୍ସ ପେମେଣ୍ଟ ମଧ୍ୟ ନେଇଛନ୍ତି । ଏଭଳି ବିଭିନ୍ନ କାରଣ ଯୋଗୁଁ ଚଳିତ ବର୍ଷ ଦୀପାଳିରେ ଚାଇନା ଉତ୍ପାଦ ଭାରତୀୟ ବଜାରରେ ଖୁବ୍‌ କମ୍ ଦେଖାଯିବ । ହେଲେ ଏହା ଚାଇନା ବ୍ୟବସାୟୀଙ୍କୁ ଯେତିକି ପ୍ରଭାବିତ କରିବ ତା’ଠାରୁ ଢ଼େର ଅଧିକ ଭାରତୀୟ ଗ୍ରାହକଙ୍କୁ ପ୍ରଭାବିତ କରିବ । ଏହାର ପ୍ରଭାବ ଧିରେ ଧିରେ ଭାରତୀୟ ଗ୍ରାହକ ଅନୁଭବ କରିପାରିବେ ।

China President XI Jinping Threatened India US Never Sit Idly While China Sovereignty Undermined

ଖାଲି ସେତିକି ନୁହେଁ, ଆର୍ଟିକିଲରେ ଆହୁରି ଲେଖାଅଛି ଯେ, କିଛି ଲୋକ ଭାରତରେ ନିର୍ମିତ ସାମଗ୍ରୀ ପାଇଁ ଅଧିକ ଅର୍ଥ ଦେବାକୁ ଇଚ୍ଛୁକ ହୋଇପାରନ୍ତି, କାରଣ ଦେଶର ଉତ୍ପାଦନ କ୍ଷେତ୍ରକୁ ଏହାଦ୍ୱାରା ସମର୍ଥନ ମିଳିବ । ହେଲେ ଅନେକ ଗ୍ରାହକ ଏଭଳି କରିପାରିବେ ନାହିଁ କାରଣ ତାଙ୍କ ପାଖରେ ଟଙ୍କାର ଅଭାବ ରହିଛି । ସେମାନଙ୍କୁ ଯେନତେନ ଦୀପାବଳି ପାଳିବାକୁ ପଡ଼ିବ । ସେହିଭଳି ଭାରତ ପାଇଁ ଅପମାନ ଦେବା ଭଳି ଶବ୍ଦ ବ୍ୟବହାର କରି ଏଥିରେ ଲେଖାଯାଇଛି ଯେ, ଚାଇନାର ଆଧୁନିକ ଉତ୍ପାଦକୁ ଭାରତ ରିପ୍ଲେସ୍‌ କରିବାକୁ ଯଦି ଚାହୁଁଛି ତେବେ ଭାରତ ମଧ୍ୟ ସେଭଳି ଆଧୁନିକ ସାମଗ୍ରୀ ପସ୍ତୁତ କରିବା ଦିଗରେ ଫୋକସ୍‌ କରିବାକୁ ପଡ଼ିବ । ପୁରୁଣା ଦୀପ ବ୍ୟବହାର କରି ଦୀପାବଳି ପାଳିବାକୁ ଲୋକଙ୍କୁ ବାଧ୍ୟ କଲେ ଭାରତର ସ୍ୱାର୍ଥ ସାଧନ ହେବ ନାହିଁ ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

ଶେଷରେ, ଗ୍ଲୋବାଲ ଟାଇମ୍ସ ଏକ ଧମକପୂର୍ଣ୍ଣ ଢ଼ଙ୍ଗରେ ଲେଖିଛି, ଚାଇନା ଉତ୍ପାଦଗୁଡ଼ିକ ସବୁବେଳେ ଭାରତରେ ଟାର୍ଗେଟ କରାଯାଉଛି । କିନ୍ତୁ ଗୋଟିଏ କଥା ମନେ ରଖିବାକୁ ହେବ ଯେ ଚୀନ୍-ଭାରତ ବାଣିଜ୍ୟ ସମ୍ପର୍କ ଉଭୟଙ୍କ ସ୍ୱାର୍ଥ ଏବଂ ସୁବିଧା ପାଇଁ । ଯଦି ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ତିକ୍ତତା ଆସେ ତେବେ ଏହା ବ୍ୟବସାୟୀ କ୍ଷେତ୍ର ଏବଂ ଖାଉଟିଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ । ଚାଇନାର ରପ୍ତାନିକାରୀମାନେ ନିଶ୍ଚିତ ଭାବେ ଏଥିରେ କ୍ଷତି ସହିବେ ହେଲେ ଭାରତୀୟ ଗ୍ରାହକଙ୍କ ସ୍ୱାର୍ଥ ମଧ୍ୟ କ୍ଷତିଗ୍ରସ୍ତ ହେବ ।

Leave a Reply