ରାତି ପାହିଲେ କ୍ରିସମାସ, କନ୍ଧମାଳରେ ଲୋକଙ୍କ ମଧ୍ୟରେ ଉତ୍ସାହ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ବଡଦିନ । ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ପାଇଁ ସଭିଙ୍କ ମନରେ ଉତ୍ସାହ । ସଜେଇ ହେଲାଣି ଗୀର୍ଜା ଘର । କ୍ରିସମାସ ପାଇଁ ସାରା ରାଜ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ କନ୍ଧମାଳରେ ଦେଖିବାକୁ ମିଳିଛି ଉତ୍ସାହ । ଦୋକାନରୁ ରଙ୍ଗବେରଙ୍ଗର ଆଲୋକମାଳା କିଣି ନେଉଛନ୍ତି ଲୋକେ ।
କନ୍ଧମାଳ ଜିଲ୍ଲା ଫୁଲବାଣୀର ମିରାକେଲ ଚର୍ଚ୍ଚ, ବାପଟିଷ୍ଟ୍ ଚର୍ଚ୍ଚ, କ୍ୟାଥୋଲିକ ଚର୍ଚ୍ଚରେ ସାଜସଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖ୍ରୀଷ୍ଟ ବିଶ୍ଵାସୀମାନେ ନିଜ ଘର ଦ୍ଵାର ସଫାସୁତରା କରି ବିଭିନ୍ନ ରଙ୍ଗରେ ରଙ୍ଗେଇ ସାରିଲେଣି । ବଡଦିନ ପାଇଁ ଦୋକାନ ବଜାରରେ ଲୋକଙ୍କ ଭିଡ ଜମୁଛି । କିଏ ଘରକୁ ସଜେଇବା ପାଇଁ ରଙ୍ଗ ବେରଙ୍ଗର ଆଲୋକମାଳା କିଣି ନେଉଛି ତ ଆଉ କିଏ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ପୋଷାକପତ୍ର କିଣି ନେଉଛନ୍ତି ।
କନ୍ଧମାଳ ଜିଲ୍ଲାରେ ଧୁମଧାମରେ ପାଳନ କରାଯାଏ ବଡଦିନ । ପର୍ବକୁ ଶାନ୍ତିଶୃଙ୍ଖଳାରେ ସାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

