୧୨ ଦିନରେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି, ସମାଧାନର ବାଟ ପାଉନାହାଁନ୍ତି ସରକାର

ନନ୍ଦିଘୋଷ ବ୍ୟୁରୋ: ଅମଲା ସଂଘର କାର୍ଯ୍ୟ ବନ୍ଦ ଡାକରାକୁ ବନ୍ଦ କରିବାକୁ ବାଟ ପାଉନାହାଁନ୍ତି ସରକାର । ସେଥିପାଇଁ ଉପାୟ ନପାଇ ନାଲି ଆଖି ଦେଖାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟର ବିଭିନ୍ନ ଅମଲା ସଂଘକୁ ଭାଗ ଭାଗ କରିବାକୁ ସରକାର ଷଡ଼ଯନ୍ତ୍ର ଆରମ୍ଭ କରିଥିବା ଚର୍ଚ୍ଚା ହେଲାଣି । ଆଜି ଏକ ଅମଲା ସଂଘ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଥିଲେ । ସେମାନେ ସୋମବାରରୁ କାମରେ ଯୋଗ ଦେବା ନେଇ ରାଜସ୍ବ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଲେ । ହେଲେ ତାଙ୍କୁ ଭେଟିଥିବା ଉକ୍ତ ଅମଲା ସଂଘ କାର୍ଯ୍ୟରେ ଯୋଗ ଦେବେ କି ନାହିଁ ସେ ନେଇ କିଛି କହିଲେନି । ତେବେ କାମରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନର ପରୋକ୍ଷ ଚେତାବନୀକୁ ପୁଣି ଥରେ ଦୋହରାଇଛନ୍ତି ରାଜସ୍ବ ମନ୍ତ୍ରୀ ।
ଆଜି ଅମଲା ସଂଘର କାର୍ଯ୍ୟ ବନ୍ଦକୁ ନେଇ ରାଜସ୍ବ ମନ୍ତ୍ରୀ ଡକାଇଥିଲେ ବୈଠକ । କହିଲେ, ଆଲୋଚନା ସଫଳ ହୋଇଛି । ସୋମବାରରୁ କାର୍ଯ୍ୟରେ ଯୋଗ ଦେବେ ଅମଲା । ଆନ୍ଦୋଳନରେ ଥିବା ବିଭିନ୍ନ ଅମଲା ସମସ୍ୟାର ସମାଧାନ ଚାହୁଁ ନଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି । ଏପରି କହି ତାଙ୍କୁ ଭେଟିଥିବା ଅମଲା ସଂଘ ଓ ଅନ୍ୟ ଅମଲା ସଂଘ ଭିତରେ ଡିଭାଇଡ୍ ଆଣ୍ଡ ରୁଲ୍ ନୀତି ଆପଣାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଥିବା ଅମଲା ସଂଘ ଗୋଷ୍ଠୀ କିଛି ବି କହିଲେନି । କାର୍ଯ୍ୟରେ ଯୋଗ ଦେବେ କି ନାହିଁ, ସେ ନେଇ ମୁହଁ ବି ଖୋଲିଲେ ନାହିଁ । ଯାହାକୁ ନେଇ ପୁଣି ଥରେ ଚରମପନ୍ଥା ଆପଣାଇବାର ଚେତାବନୀକୁ ଦେହରାଇଛନ୍ତି ରାଜସ୍ବ ମନ୍ତ୍ରୀ । ଯଦି ସୋମବାର ଅମଲାମାନେ କାର୍ଯ୍ୟରେ ଯୋଗ ନ ଦେବେ, ତେବେ ଅସ୍ତ୍ର ପ୍ରୟୋଗ କରିବେ ସରକାର । ଯେଉଁ ଅସ୍ତ୍ରରେ ସିଧା ହେବେ, ସେ ଅସ୍ତ୍ର ପ୍ରୟୋଗ ହେବ ବୋଲି ସେ ରୋକଠୋକ୍ କହିଛନ୍ତି ।
ସେପଟେ ଦ୍ଵାଦଶ ଦିବସରେ ପହଞ୍ଚିଛି ରାଜସ୍ବ ଅମଲା ସଂଘର ସମୂହ ଛୁଟି ଆନ୍ଦୋଳନ । ଗତକାଲି ଅପରାହ୍ନରେ ଦେବଗଡ଼ ରୌନକ ପ୍ଲାଜା ଠାରେ ଜିଲ୍ଲା ସଂଘ ସଭାପତି କମଳାପତି ସାହୁଙ୍କ ସଭାପତିତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ଘୋଷଣା କରାଯାଇଛି ।
ଅମଲାମାନଙ୍କ ଚାକିରିରେ ପ୍ରବେଶ ମୂଳ ଦରମା ଲେବୁଲ ୯ ଅନୁଯାୟୀ ପ୍ରଦାନ, ରାଜସ୍ବ ଅମଲାଙ୍କ କ୍ଯାଡର ଗଠନ, ପ୍ରତି ଅମଲାଙ୍କ ପରିବାରର ପ୍ରତି ସଦସ୍ୟଙ୍କୁ ବୀମା ପ୍ରଦାନ, ୨୦୨୦ ପୂର୍ବରୁ ଥିବା ନିୟମାନୁସାରେ ପୁନଃ ଥଇଥାନ ନିୟମ ଲାଗୁ କରିବା, ପୁରୁଣା ପେନସନ ଲାଗୁ କରିବା ଆଦି ବିଭିନ୍ନ ଦାବି ସରକାର ଯଥାଶୀଘ୍ର ପୂରଣ କରିବା ନେଇ ଅମଲାମାନେ ଦାବି କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ବ୍ଲକ, ତହସିଲ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦିରେ କୌଣସି କାର୍ଯ୍ୟ ହୋଇ ପାରୁନାହିଁ ।