ରକ୍ତରେ ଭିଜିଲା ହୋଲି ଉତ୍ସବ: ବୁଲିଲା ଫାର୍ସା, କଟୁରୀ

1 min read

ଭୁବନେଶ୍ବର: ଆଜି ରାଜ୍ୟରେ ରଙ୍ଗର ପର୍ବ ହୋଲି ଖେଳାଯାଇଛି । ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ପିଲାଙ୍କଠାରୁ ବୟସ୍କ ପରସ୍ପରକୁ ରଙ୍ଗ ବୋଳି ଅଭିନନ୍ଦନ ଜଣାଇଥିଲେ । ହେଲେ ରାଜ୍ୟର କିଛି ସ୍ଥାନରେ ହୋଲି ଉତ୍ସବ ରଣକ୍ଷେତ୍ରରେ ପରିଣତ ହୋଇଥିଲା । କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ତ ଆଉ କେଉଁଠି ଫାର୍ସା ଓ କଟୁରୀ ବୁଲିଥିଲା । ଏମିତି ଘଟଣାରେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି ।

ଅଭିଯୋଗ ଅନୁସାରେ ପିପିଲିରେ ଖେଳା ଯାଇଛି ରକ୍ତର ହୋଲି । କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇପଦର ଗାଁରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଫାର୍ସାରେ ଗୋଡେଇ ଗୋଡେଇ ଆକ୍ରମଣ କଲେ ଦୁର୍ବୃତ୍ତ । ଏଥିରେ ୩ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଟାଙ୍ଗୀରେ ହୋଲି ବେଳେ ଅଷ୍ଟପ୍ରହରୀ ଚାନ୍ଦା ଦେବାକୁ କେନ୍ଦ୍ର କରି ଯୁବକଙ୍କୁ କଟୁରୀରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ଯୁବକ ଜଣଙ୍କ ହେଲେ ଅଭିମାନପୁର ଗାଁର ଦୀପକ କୁମାର ସ୍ବାଇଁ । ଆକ୍ରମଣ କରିଥିବା ଦୁର୍ବୃତ୍ତଙ୍କ ନାଁ ବାବୁ ସ୍ବାଇଁ । ଗୁରୁତର ଦୀପକଙ୍କୁ ଟାଙ୍ଗୀ  ମେଡିକାଲରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଟାଙ୍ଗୀ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ହୋଲି ଖେଳ ବେଳେ ବାଲେଶ୍ବର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗାଁରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ ମରାମରି ହେବାରୁ ଉଭୟ ପକ୍ଷରୁ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷ ବେଳର ଭିଡିଓ ଭାଇରାଲ ହୋଇଛି । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋବିନ୍ଦପୁର ଗାଁର ଶମ୍ଭୁନାଥ ମଲ୍ଲିକଙ୍କ ପୁଅ କ୍ଷିତୀଶ ବାଡ଼ିରେ ଖେଳୁଥିଲେ । ସେହି ରାସ୍ତରେ ଡିଜେ ବଜାଇ ଏକ ଗୋଷ୍ଠୀ ରଙ୍ଗ ଖେଳି ଯାଉଥିବା ବେଳେ ନିର୍ବାଚନ ରାଗ ରଖି କ୍ଷିତୀଶଙ୍କୁ ମାଡ ମାରିଥିଲେ । ଶମ୍ଭୁନାଥଙ୍କ ବାପାମାଆ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡବାନ୍ଦୋଗଡା ଗାଁରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରସ୍ପରର ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଆଜି ରଙ୍ଗ ଖେଳ ବେଳେ ଗୋଟିଏ ଗୋଷ୍ଠୀ ଅନ୍ୟ ଉପରେ ଆକ୍ରମଣ କରିଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି ।

ହୋଲି ଖେଳକୁ ନେଇ ଗଞ୍ଜାମ ଜିଲ୍ଲା ଆସିକା ଥାନା ପାଟଳୀଗୁଡା ଗ୍ରାମରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ସଂଘର୍ଷ ନେଇ ଥାନାରେ ଏତଲା ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି ।