ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ ଥମୁନି ଆନ୍ଦୋଳନ ; ବିଭିନ୍ନ ଦାବିରେ ଜାରି ରହିଛି ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ନିର୍ବାସିତ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ବା ପିଓଜେକେର ନେତା ତଥା ୟୁନାଇଟେଡ କାଶ୍ମୀର ପିପୁଲ୍ସ ନ୍ୟାସନାଲ ପାର୍ଟି ନେତା ସୌକତ ଅଲ୍ଲୀ କାଶ୍ମୀରୀଙ୍କ ବଡ଼ ବୟାନ। ଜଏଣ୍ଟ ଆୱାମି ଆକ୍ସନ କମିଟି ବ୍ୟାନରରେ ଗତ ୨ବର୍ଷ ଧରି ଆନ୍ଦୋଳନ ଚାଲିଛି ଏବଂ ଏହି ଆନ୍ଦୋଳନ ହେଉଛି ତାଙ୍କର ମୌଳିକ ଅଧିକାର। ପାକ୍ ଅଧିକୃତ କାଶ୍ମୀରର ଲୋକଙ୍କୁ ବିଭିନ୍ନ ଅଧିକାରରୁ ଗତ ୭୭ ବର୍ଷ ଧରି ବଞ୍ଚିତ କରାଯାଇଛି । ଲୋକଙ୍କ ଦାବିକୁ ରାଜନୈତିକ ଦଳଗୁଡିକ ନିଜ ନିଜ ସ୍ତରରେ ଉତଥାପନ କରିଆସୁଛନ୍ତି। ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଲୋକ ଏକ ଜଏଣ୍ଟ ଆକ୍ସନ କମିଟି ଗଠନ କରିଛନ୍ତି। ସେମାନେ ଏହି ଆନ୍ଦୋଳନକୁ ଦୀର୍ଘଦିନ ଚଳାଇ ଆସିଛନ୍ତି। ସ୍ଥାନୀୟ ଅଧିବାସୀ ବିଦ୍ୟୁତ ଅଭାବର ଶିକାର ହେଉଥିବାବେଳେ ବେକାରୀ ବଢିଛି। ସେଠାରେ ଚାଲିଥିବା ପପେଟ ସରକାର ଲୋକଙ୍କ ଦାବି ପୂରଣ କରିବାକୁ ଅକ୍ଷମ। ଯଦି ଏହି ସମସ୍ତ ଦାବି ପୂରଣ ନହୁଏ ତେବେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ ଲକଡାଉନ କରାଯିବ ଏବଂ ପାକିସ୍ତାନରୁ ସେଠାକୁ ଯାଇଥିବା ସମସ୍ତ ପ୍ରବେଶ ପଥକୁ ବନ୍ଦ କରିଦିଆଯିବ ବୋଲି ସେ କହିଛନ୍ତି।
ଯଦି ପିଓକେରେ ଲକଡାଉନ ହୁଏ ତେବେ ଲକ୍ଷ ଲକ୍ଷ ଶିଶୁ, ମହିଳା ଓ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ସମସ୍ତ ରାଜନୈତିକ, ସାମାଜିକ ଓ ମୌଳିକ ଅଧିକାର ସଂକ୍ରାନ୍ତ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି।