spot_img

Latest Posts

ଆସନ୍ତା ୧ ତାରିଖରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର:  ଆସନ୍ତା ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଶେଷ ପର୍ଯ୍ୟାୟରେ ୬ ଲୋକସଭା ଯଥା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପାଇଁ ମତଦାନ ହେବ। ସେହିପରି ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ଭୋଟର ନିଜର ପ୍ରତିନିଧି ବାଛିବାକୁ ଯାଉଛନ୍ତି । ଏଥିପାଇଁ ଆଜି ସନ୍ଧ୍ଯାରେ ସରିବ ପ୍ରଚାର। ଉପରୋକ୍ତ ଆସନଗୁଡ଼ିକରେ ଚଳିତ ଥର ବହୁ ହେଭିୱେଟ ମଇଦାନକୁ ଓହ୍ଲାଇଥିବା ବେଳେ ନିର୍ବାଚନ ଜିଣିବା ସେମାନଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ୬ ଲୋକସଭା କ୍ଷେତ୍ରରେ ଚଳିତଥର ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ବହୁ ହେଭିୱେଟ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ବିଶେଷକରି ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଶେଷ ପର୍ଯ୍ୟାୟର ସବୁଠୁ ରୋଚକ ଲଢ଼େଇ ଦେଖିବାକୁ  ମିଳିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ବିଜେଡି ଏଠାରୁ ଚର୍ଚ୍ଚିତ ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସର ଜାତୀୟ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ନେତା ଶ୍ରୀକାନ୍ତ ଜେନାଙ୍କୁ ଟିକଟ ଦେଇଛି। ସେହିପରି ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁନଃ ପ୍ରାର୍ଥୀ କରିଛି । ଉପରୋକ୍ତ ୩ ନେତାଙ୍କର ରାଜ୍ୟ ରାଜନୀତିରେ ବେଶ୍ ସୁନାମ ରହିଥିବା ବେଳେ ବାଲେଶ୍ୱରର ତ୍ରିକୋଣୀୟ ଲଢ଼େଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସେହିପରି ମୟୂରଭଞ୍ଜରେ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ରାଜ୍ୟର ଅନ୍ୟତମ ବଡ଼ ଆଦିବାସୀ ଚେହେରା ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଜେଡ଼ିର ଅଂଶୁମାନ ମହାନ୍ତିଙ୍କ ମଧ୍ଯରେ ବଡ଼ ଟକ୍କର ହେଉଛି ।  ନିର୍ବାଚନ ଜିତିବା ପାଇଁ ହେଭିୱେଟ ନେତା ଝାଳବୁହା ପରିଶ୍ରମ କରୁଥିବା ବେଳେ ନିଜ ନିଜ ଦଳର ଶୀର୍ଷ ନେତୃତ୍ୱଙ୍କୁ ଆଣି ନିଜ ସପକ୍ଷରେ ପ୍ରଚାର କରାଉଛନ୍ତି। ସେହିପରି ବିଧାନସଭା କ୍ଷେତ୍ରରେ ମଧ୍ୟ ଶେଷ ପର୍ଯ୍ୟାୟରେ ରାଜ୍ୟର ବହୁ ହେଭିୱେଟ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଚାନ୍ଦବାଲିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଭଦ୍ରକରୁ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ନିର୍ବାଚନ ଲଢ଼ୁଛନ୍ତି।

ସେହିପରି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପ୍ରମୁଖ ନିର୍ବାଚନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଏହି ୬ ଲୋକସଭା ଆସନରେ ବଡ଼ ବିଜୟ ହାସଲ କରିଥିଲା। ୬ ଲୋକସଭା ଆସନରୁ ୪ଟି ବିଜେଡି ଖାତାକୁ ଯାଇଥିବା ବେଳେ ୪୨ ବିଧାନସଭା ଆସନରୁ ୩୩ଟିରେ ଦଳ ବିଜୟ ବାନା ଉଡ଼ାଇଥିଲା । ଏପରିକି ୩ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ବିଜେଡି ସବୁ ଆସନ ପୋଛି ନେଇଥିଲା । ଚଳିତ ଥର ବିଜେଡି ସହ ବିଜେପି ଓ କଂଗ୍ରେସ ନିଜ ନିଜ ବିଜୟ ନେଇ ଆଶାବାଦୀ ଥିବାବେଳେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

 

Latest Posts

Don't Miss