ପ୍ରକୃତିର ତାଣ୍ଡବରେ ଛାରଖାର ଉତ୍ତରାଖଣ୍ଡର ଚାମୋଲି

1 min read

ନନ୍ଦିଘୋଷ ବ୍ୟୁରୋ : ବାଦଲଫଟା ବର୍ଷାରେ ଛାରଖାର ହୋଇଯାଇଛି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା। ଏବେ ବି ମୁଷଳଧାରାରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୬ ରେ ପହଞ୍ଚିଛି। ଚାମୋଲି ଜିଲ୍ଲାର ନନ୍ଦନଗର ବ୍ଲକରେ ଘଟିଛି ଏହି ଭୂସ୍ଖଳନ। ୧୪ ଜଣ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଏବେ ଗୋଟିଏ ମୃତଦେହ ଉଦ୍ଧାର କରିଛନ୍ତି। ବୁଧବାର ଦିନ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନନ୍ଦକାନି ଏବଂ ଚୁଫଲାଗଡ଼ ନଦୀ କୂଳରେ ଅବସ୍ଥିତ ନନ୍ଦନଗର ଅଧିକ କ୍ଷୟକ୍ଷତି ହୋଇଛି। ବଞ୍ଜାରବାଗଡ, ମୋକ୍ଷ ଧୂର୍ମା ଏବଂ ଆଖପାଖ ଅଞ୍ଚଳର ବାସିନ୍ଦାମାନେ ଏକ ଧ୍ୱଂସାବଶେଷର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ହତାଶ ଗ୍ରାମବାସୀମାନେ, ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଦୀପ ତିୱାରୀଙ୍କ ସହ ଯୋଗାଯୋଗ କରି ତୁରନ୍ତ ସହାୟତା ପାଇଁ ନିବେଦନ କରିଛନ୍ତି ।

ପ୍ରାୟ ୨ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଟିମ ପହଞ୍ଚି ସହାୟତା କରୁଛନ୍ତି। ଘଟଣାସ୍ଥଳରେ ମୁତୟନ ହୋଇଛି ଆମ୍ବୁଲାନ୍ସ। ବର୍ତ୍ତମାନ ରେସ୍କ୍ୟୁ ଅପରେସନ ଜାରି ରହିଛି। ଡେରାଡୁନ ଚମ୍ପାବତ ଓ ଉଦ୍ଧମସିଂ ନଗରରେ ରେଡ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୦ ଯାଏ ସ୍ଥାନୀୟ ଅଞ୍ଚଳରେ ବିପତ୍ତି ଲାଗି ସତର୍କତା ଜାରି କରାଯାଇଛି।ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରିସ୍ଥିତି ସମୀକ୍ଷା କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଚାରିଟି ଗାଁରେ ଅଧିକ କ୍ଷତି ଘଟିଛି। କୁନ୍ତାରି ଲଗାଫାଲି, କୁନ୍ତାରି ଲଗାସରପାଣି, ସେରା ଏବଂ ଧୂର୍ମାରେ ୩୩ ଘର ଅନେକ ଦୋକାନ ଏବଂ ଗୋଶାଳା ଭାଙ୍ଗି ଯାଇଛି। NDRF ଓ SDRF ଦଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସନ୍ଧାନ ଏବଂ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ଋଷିକେଶର ଏମ୍ସକୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଥିଲା।