spot_img

Latest Posts

୧୦ ବର୍ଷ ଭିତରେ ରାଜ୍ୟର ଅର୍ଥନୀତି ୫ ଶହ ବିଲିୟନ ଡଲାର ହେବ: ମୁଖ୍ୟମନ୍ତ୍ରୀ

୧୦ ବର୍ଷ ଭିତରେ ରାଜ୍ୟର ଅର୍ଥନୀତି ୫ ଶହ ବିଲିୟନ ଡଲାର ହେବ: ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୦ ବର୍ଷ ଭିତରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ ଡଲାର କରାଯିବ । ରାଜ୍ୟ ସରକାର ଏମିତି ଲକ୍ଷ୍ୟ ରଖିଛନ୍ତି । ୨୦୩୬ରେ ଯେତେବେଳେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବାର ଶହେ ବର୍ଷ ପୂରଣ କରିବ, ସେତେବେଳକୁ ରାଜ୍ୟର ଅର୍ଥନୀତି ୫୦୦ ବିଲିୟନ ହୋଇଯାଇଥିବ । ଏଥିପାଇଁ କାମ ଚାଲିଛି । ବର୍ଷେ ଦୁଇ ବର୍ଷ ପାଇଁ ଯୋଜନା ହେଉନି ବୋଲି ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେ କହିଛନ୍ତି, ଏହି ବଡ଼ ଚ୍ୟାଲେଞ୍ଜକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ଵ ଓ ସେଥିରେ ଅମଲାତନ୍ତ୍ରର ବଡ଼ ଭୂମିକା ରହିଛି । ଆସନ୍ତା ୧୦ ବର୍ଷରେ ଓଡ଼ିଶା ଦେଶର ଟପ୍ ୫ ରାଜ୍ୟ ଭିତରେ ରହିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜସ୍ଵ ବିଭାଗ ହେଉଛି ସରକାରଙ୍କ ମେରୁଦଣ୍ଡ । ଏହାକୁ ଛାଡ଼ି କୌଣସି କାମ କରି ହେବନି । ତେଣୁ ଆମେ ଲୋକଙ୍କ ପାଖକୁ ଯାଇ ସେବା ପ୍ରଦାନ କରିବା । ଲୋକଙ୍କ ସେବା ଉପରେ ଫୋକସ୍ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

ମିଡିଲ ମ୍ୟାନ୍ ବ୍ୟବସ୍ଥା ହଟିବା ଦରକାର

ସମ୍ମିଳନୀରେ ଦୁର୍ନୀତିକୁ ରାଜସ୍ବ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସରକାରୀ କାର୍ଯ୍ୟଳୟ ଦଲାଲମୁକ୍ତ ହେବା ସହ ମିଡିଲ ମ୍ୟାନ ବ୍ୟବସ୍ଥା ହଟିବା ଦରକାର । ସରକାରଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ଶାସନ ହେବା ଦରକାର । ଭିଜିଲାନ୍ସ ରେଡ, ମୃତ ଲୋକ ଜୀବିତ ଭଳି ଅନେକ ଖବର ପ୍ରତିଦିନ ଆସୁଛି । ଅନ୍ୟ ଲୋକଙ୍କୁ ଠିଆ କରି ଜମି ପଞ୍ଜିକରଣ କରାଯାଉଛି । ଆଖି କାନ ଖୋଲା ରଖ । ନାକ ତଳେ କ’ଣ ହେଉଛି ଖବର ରଖ ବୋଲି କହିଛନ୍ତି ମନ୍ତ୍ରୀ । ଭିଜିଲାନ୍ସ ଧରିବା ପୂର୍ବରୁ ଆପଣମାନେ ଧରନ୍ତୁ । ଏହାସହ ଆଜିର କାମକୁ କାଲି ପର୍ଯ୍ୟନ୍ତ ନରଖିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଏହି ଅବସରରେ ବିପର୍ଯ୍ୟୟ ମୁକାବିଲାରେ ଅଧିକାରୀଙ୍କ କାମକୁ ମନ୍ତ୍ରୀ ପ୍ରଶଂସା କରିଥିଲେ ।

୬ ମାସରେ ସବୁ ମାମଲାର ସମାଧାନ

୬ ମାସ ଭିତରେ ରାଜସ୍ବ ବିଭାଗରେ ପଡ଼ିଥିବା ସବୁ କେସ ସମାଧାନ ହେବ । ଏଥିପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ୫ ବର୍ଷରେ ଓଡ଼ିଶାରେ ରହିବେନି ଭୂମିହୀନ । ସରକାର ୨୪ ହଜାର ଶିକ୍ଷନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ଆଗକୁ ସେ କହିଛନ୍ତି, ୨୫ ହଜାର ଭୂମିହୀନକୁ ଜମି ଦିଆଯାଇଛି । ଜନଗଣନା ପୂର୍ବରୁ ସମସ୍ତ ରାଜସ୍ବ ଗ୍ରାମ ଆବେଦନକୁ ସୁପାରିସ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଜନତା ଜମି ପାଇଁ ଆମ ପାଖକୁ ନଆସନ୍ତୁ, ସର୍ଭେ କରି ସେମାନଙ୍କୁ ସେବା ଦେବାକୁ ଅଧିକାରୀଙ୍କୁ କହିଛନ୍ତି ମନ୍ତ୍ରୀ ।

Latest Posts

Don't Miss