କଇଁଫୁଲିଆ ହାଇଲେବଲ୍ ସେତୁକୁ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ

ଆସିକା: କଇଁଫୁଲିଆ ହାଇଲେବଲ୍ ସେତୁ ଉଦ୍‌ଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ବ୍ରିଟିଶ ସମୟରେ ଦୁଇଟି ପୁରୁଣା ସେତୁ ସ୍ଥାନରେ ନୂଆସେତୁ ନିର୍ମାଣ କରାଯାଇଛି  ।  ଏହି ସେତୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗୁରୁତ୍ବପୂର୍ଣ୍ଣ ସଂଯୋଗ ପଥ ଭାବେ କାର୍ଯ୍ୟ କରିବ । ଆସିକା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟ ସହରରୁ ଭୁବନେଶ୍ବରକୁ ଦୂରତା ମଧ୍ୟ କମିବ । ଏହାଦ୍ବାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯାତାୟାତରେ ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଛନ୍ତି । ନୂଆ ସେତୁ ଦ୍ବାରା ଗଞ୍ଜାମ ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ । ଚଳିତବର୍ଷ ରାଜ୍ୟରେ ହଜାରେ କିଲୋମିଟର ରାସ୍ତା ଓ ୩୦ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି ।  ଏଥିପାଇଁ ୨୩ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧ ହଜାର କୋଟି ଟଙ୍କା ଓ ଗ୍ରାମ୍ୟ ସଡ଼କ ପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟବାସୀ ଏହି ରାସ୍ତା ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି  । ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ  । କହିଛନ୍ତି, ବିପଦ ଏବେ ବି ଯାଇନାହିଁ । ଦ୍ବିତୀୟ ଲହରର ଭୟ ରହିଛି । ତେଣୁ ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ । ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ଼ ଜାଗାରେ ସାମାଜିକ ଦୂରତା ରଖିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ପିପିଲିରେ ବଢ଼ୁଛି ବିଜେଡି ଲୋକପ୍ରିୟତା: ଶତାଧିକ ବିଜେପି ନେତା ଓ କର୍ମୀ ସାମିଲ

Leave a Reply