ଶୃଙ୍ଖଳିତ ସମାପନ ହେଲା ରଥଯାତ୍ରା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବଦିନାତ୍ମକ ଯାତ୍ରା ସାରି ବାହୁଡିଗଲେ ବାହୁଡ଼ାବ୍ରହ୍ମ  । ତିନି ଠାକୁର ଆଜି ଜନ୍ମବେଦୀରୁ ରତ୍ନ ବେଦୀ ଅଭିମୁଖେ ବାହାରି ଯାଇଛନ୍ତି  । କିନ୍ତୁ ବିଶ୍ୱରୁ ବାହାରି ଯାଇନି କରୋନା  । ଗୋଟେପଟେ ରାଜ୍ୟରେ କୋଭିଡ ମହାମାରୀର ଭୟଙ୍କର ସ୍ଥିତି ଏବେ ବି ବଜାୟ  ରହିଛି  । ଆଉ ଏପରି ସ୍ଥିତିରେ ବିଶ୍ୱ ନିୟନ୍ତାଙ୍କ ନିକଟରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ସୀମିତ ସେବାୟତ, ଅଳ୍ପ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନେଇ ଚଳିତ ବର୍ଷ ରଥଯାତ୍ରା ସମାପନ୍ନ କରାଯାଇଛି  । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କାର୍ଯ୍ୟ ରୀତିନୀତିରେ ସରିଛି  । ଏବଂ ସବୁଠୁ ବଡ଼ କଥା ହେଉଛି ରାଜ୍ୟବାସୀ, ବିଶେଷ କରି ପୁରୀ ସହରବାସୀଙ୍କ ସହଯୋଗ ଯୋଗୁଁ ଏଥର ରଥଯାତ୍ରା ଶୃଙ୍ଖଳାଦାୟକ ଭାବେ ହୋଇଥିବା ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ତେଣୁ ଶୃଙ୍ଖଳିତ ରଥଯାତ୍ରା ଚଳିତ ବର୍ଷ ସୁରୁଖୁରୁରେ ସମାପନ ହୋଇଥିବାରୁ ରଥଯାତ୍ରାରେ ନିୟୋଜିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ କଟକଣା ଯୋଗୁଁ ପୁରୀ ସହରରେ କର୍ଫ୍ୟୁ ଲାଗିଥିବାବେଳେ ଦର୍ଶନ ନେଇ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା  । ସମଗ୍ର ରାଜ୍ୟବାସୀ ସରକାରଙ୍କ ନିୟମକୁ ମାନିଥିବାରୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ।

Leave a Reply