ସତର୍କ ରହିବା ହିଁ ହେବ କରୋନା ସହିଦ ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ପୁଣି ଫେରିବା ଭୟ ରହିଥିବାରୁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ,  କରୋନାକୁ  ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ  ଓଡ଼ିଶା ଭଲ ସ୍ଥିତିରେ ଅଛି । ଯାହାକୁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଏବଂ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି  ।

କରୋନାକୁ ନିୟନ୍ତ୍ରିତ କରିବାରେ ରାଜ୍ୟ ସଫଳ ହୋଇଛି କିନ୍ତୁ ଆହୁରି ସତର୍କର ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଜିରୋ ଇନଫେକସନ ଆମର ଲକ୍ଷ୍ୟ  ।

ରୋଗକ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ କାରଣ ବିପଦ ଏବେବି ଟଳିନାହିଁ । ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡରେ ସ୍ଥିତି ବିଗୁଡିଛି ଏହାସହ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକଡାଉନ ହୋଇଛି । ଲକଡାଉନ ସମୟର ସ୍ମୃତି ଏବେବି ଆମ ମନରେ  ତାଜା ।  ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି । ଆମେ କେହି ଲକ୍‍ଡାଉନ୍‍କୁ ଫେରିବାକୁ ଚାହୁଁ ନାହୁଁ । ଏବଂ ଲକ୍‍ଡାଉନ୍‍କୁ ନ ଫେରିବାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକ୍‍ଡାଉନ୍‍ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ପୂର୍ବଭଳି କରୋନା ଗାଇଡଲାଇନ ମାନି ଚଳିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବାହାରକୁ ଗଲେ ମାସ୍କ୍‍ ନିଶ୍ଚୟ ପିନ୍ଧିବା, ବେକରେ ଝୁଲାଇକରି ନୁହେଁ, ଠିକ୍‍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଘରକୁ ଫେରିଲେ ସାବୁନ୍‍ରେ ଭଲକରି ହାତ ଧୋଇବା ଏବଂ ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବାକୁ ବାରଣ କରିଛନ୍ତି ।

ବର୍ତ୍ତମାନ କରୋନା ପାଇଁ ଟିକାକରଣ ଆମ ରାଜ୍ୟରେ ସଫଳ ଭାବେ ଚାଲିଛି । ଏ ଦିଗରେ ସହଯୋଗ କାମନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ବିରୁଦ୍ଧରେ ଆମର ଲଢ଼େଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ । ସତର୍କ ରହିବା ହିଁ ସହିଦ୍‍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ିଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ଓ ପୋଲିସ୍‍ କୁ ନିର୍ଦ୍ଦେଶ ଦେଇଥିବା ସ୍ପଷ୍ଟ କରିଛନ୍ତି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ । ତାଙ୍କ ଅନୁରୋଧକୁ ରାଜ୍ୟବାସୀ ରକ୍ଷା କରିବେ ବୋଲି ପୂର୍ଣ୍ଣ ଭରସା ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ସମସ୍ତେ ମିଶି ଶୂନ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply