ଜାତୀୟ ପୁରସ୍କାର ପ୍ରାପ୍ତ ପଞ୍ଚାୟତିରାଜ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

1 min read

ଭୁବନେଶ୍ବର: ଦେଶରେ ଶ୍ରେଷ୍ଠତ୍ବ ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଦେଶରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ହୋଇଥିବା ଗଞ୍ଜାମକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଶ୍ରେଷ୍ଠ ବ୍ଲକ ହିଞ୍ଜିଳିକାଟୁ, ଗଞ୍ଜାମର ୫ ଓ ସୁନ୍ଦରଗଡ଼ର ଗୋଟିଏ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ବର୍ଦ୍ଧିତ ହୋଇଥିବା ପଞ୍ଚାୟତଗୁଡିକ ହେଲା ଗଞ୍ଜାମର କଞ୍ଚୁରୁ, ଶାସନ, ଆମ୍ବଗାଁ, କୁଲାଡ ଓ ଆଙ୍କୁଲି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇଁଗଡ଼ ପଞ୍ଚାୟତ ସମ୍ବର୍ଦ୍ଧିତ ହୋଇଛି ।

ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ଆମ ପଞ୍ଚାୟତ ସେବା ପୋର୍ଟାଲ (OSR) ଓ ସାମାଜିକ ସମୀକ୍ଷା ପୋର୍ଟାଲର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଦେଶରେ ଶ୍ରେଷ୍ଠତ୍ବ ହାସଲ କରି ରାଜ୍ୟ ପାଇଁ ଗର୍ବ ଆଣୁଥିବା ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି । ଦେଶରେ ଶ୍ରେଷ୍ଠ ସ୍ଥାନ ହାସଲ କରୁଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ କେନ୍ଦ୍ର ଦେଉଥିବା ଆର୍ଥିକ ସୁରସ୍କାରର ୬ ଗୁଣା ରାଜ୍ୟ ସରକାର ଦେବେ । ସେହିଭଳି ଦ୍ବିତୀୟ ସ୍ଥାନ ହାସଲ କରୁଥିବା ଅନୁଷ୍ଠାନଙ୍କୁ କେନ୍ଦ୍ର ତୁଳନାରେ ୩ ଗୁଣା ଓ ତୃତୀୟ ସ୍ଥାନ ହାସଲ କରୁଥିବା ଅନୁଷ୍ଠାନକୁ ୨ ଗୁଣା ଆର୍ଥିକ ପୁରସ୍କାର ରାଜ୍ୟ ସରକାର ଦେବେ ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆଜି ଓଡ଼ିଶା ପାଇଁ ଆନନ୍ଦର ଦିନ । ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ହୋଇଥିବା ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ କାମ ଆରମ୍ଭ ହେଲା । ଏହି ଅବସରରେ ଗାଁ ସରକାର ଭୁବନେଶ୍ବରରେ ଏକାଠି ହୋଇଛନ୍ତି ।’

ଦେଶରେ ସୁନାମ ଅର୍ଜନ କରିଥିବା ୮ଟି ପଞ୍ଚାୟତିରାଜ ସଂସ୍ଥାକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଆମ କାମ ଆମ ପରିଚୟ ବୋଲି କହିଥିଲେ । ଏମିତି ଉତ୍ସାହର ସହ ଲୋକଙ୍କ ପାଇଁ କାମ କରି ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଆଗକୁ ସେ କହିଥିଲେ,‘ବିକାଶର ସବୁ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ହୋଇ ପାରିଛି । ପୁରସ୍କାରଠାରୁ ବଡ଼ ଲୋକଙ୍କ ଆସ୍ଥା । ଏହାକୁ ବଜାଇ ରଖିବାକୁ ଉଦ୍ୟମ କରନ୍ତୁ । ଦେଶରେ ଶ୍ରେଷ୍ଠତ୍ବ ହାସଲ କରି ପୁରସ୍କୃତ ହୋଇଥିବା ସଂସ୍ଥାଗୁଡିକୁ ୫୦ କୋଟିରୁ ଅଧିକ ଟଙ୍କାର ଆର୍ଥିକ ପରସ୍କାର ପ୍ରଦାନ କରାଯାଇଛି ।’

୨୩ ବର୍ଷ ଧରି ଓଡ଼ିଶାର ବିକାଶ ପାଇଁ ଆମେ କାମ କରି ଆସୁଛନ୍ତି । ସବୁ କ୍ଷେତ୍ରରେ ରୂପାନ୍ତର ଆସୁଛି । ମିଶନଶକ୍ତି, ସ୍କୁଲ ରୂପାନ୍ତରଣ, ସ୍ବାସ୍ଥ୍ୟ ଓ ବିଜ୍ଞାନରେ ରୂପନ୍ତରଣ, ଖେଳ, BSKY ପରି କାର୍ଯ୍ୟକ୍ରମ ଆମ ବିକାଶର ହୋଲମାର୍କ ପାଲଟିଛି । ପଞ୍ଚାୟତିରାଜ ସଂସ୍ଥାଙ୍କ ସଫଳତା ଏଥିରେ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି । BSKY ଭଳି କାର୍ଯ୍ୟକ୍ରମ ରାଜ୍ୟକୁ ବିକାଶ ପଥରେ ଆଗେଇ ନେଉଛି । 5T ନୀତି ରାଜ୍ୟ ବିକାଶର ଆଧାର ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଘୋଷଣା ଅନୁସାରେ ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି, ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଦ୍ବିତୀୟ ସ୍ଥାନ ହାସଲ କରିଥିବା ହିଞ୍ଜିଳିକାଟୁ ବ୍ଲକର କାଞ୍ଚୁରୁ ପଞ୍ଚାୟତ, ଭଞ୍ଜନଗର ବ୍ଲକର କୁଲଦା ପଞ୍ଚାୟତ, ହିଞ୍ଜିଳିକାଟୁର ଶାସନ ଆମ୍ବଗାଁ ଓ ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତକୁ ୨ କୋଟି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି । ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ ବଣାଇ ବ୍ଲକର ବଣାଇଗଡ ପଞ୍ଚାୟତକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି । ସମୁଦାୟ ୭ଟି ପଞ୍ଚାୟତିରାଜ ଅନୁଷ୍ଠାନକୁ ୫୨ କୋଟି ଟଙ୍କାର ପୁରସ୍କାର ଦିଆଯାଇଛି ।

ଆଗକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ୨ଟି ପଞ୍ଚାୟତ ଚିହ୍ନଟ କରାଯାଇ ୬୦ଟି ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ କରାଯିବ । ଏକ ଜ୍ଞାନ ସମ୍ବଳ କେନ୍ଦ୍ର ଭାବେ ଏହା ପଞ୍ଚାୟତ ଅନୁଷ୍ଠାନଙ୍କ ଦକ୍ଷତା ବୃଦ୍ଧିରେ ସାହଯ୍ୟ କରିବ । ପଞ୍ଚାୟତିରାଜ ଅନୁଷ୍ଠାନଙ୍କ ମଧ୍ୟରେ ବିକାଶ ପାଇଁ ଏକ ସୁସ୍ଥ ପ୍ରତିଯୋଗିତା ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପଞ୍ଚାୟତଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ୍ୟ ନେଇ ଲୋକାଲ ଚାମ୍ପିଅନ ଟ୍ରେନିଂ ପ୍ରୋଗ୍ରାମ କରାଯିବ । ଅନୁସୂଚିତ ଅଞ୍ଚଳର ୭୦ଟି ବ୍ଲକରେ ସାଟେଲାଇଟ ଇଣ୍ଟରାକ୍ଟିଭ୍ ଟର୍ମିନାଲ ସ୍ଥାପନ କରାଯାଇ ଦୂର ଶିକ୍ଷା ଯୋଗାଯୋଗ ବ୍ୟବସ୍ଥା କରାଯିବ । ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ । ଏଥିରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ୨୫୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ଓ  ସାଟେଲାଇଟ ବେସଡ ଷ୍ଟୁଡିଓ ରହିବ ।