ସ୍ବାସ୍ଥ୍ୟ କ୍ଷେତ୍ରରେ ତିନିଟି ଦିଗ ଉପରେ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବାସ୍ଥ୍ୟ ହିଁ ସମ୍ପଦ । ପ୍ରତ୍ୟେକଟି ଜୀବନ ମୂଲ୍ୟବାନ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଶସ୍ତାରେ ଚିକିତ୍ସା ଓ ଗୁଣାତ୍ମକ ଚିକିତ୍ସା ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଥିବା କହିଛନ୍ତି ଜାତୀୟ ବିଜେଡି ମୁଖପାତ୍ର ସଂତୃପ୍ତ ମିଶ୍ର ।

କୋଭିଡ଼ ମହାମାରୀ ବେଳେ ପ୍ରତିଶୋଧକ ଟୀକା ଗୁରୁତ୍ବ ଦିଆଯାଇଥିଲା । ଏନେଇ ୯୦ ପ୍ରତିଶତ ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ ଟୀକା ଦେବା ପାଇଁ ବ୍ୟବସ୍ଥା କରିଥିଲେ । ଯାହାକି ଜାତୀୟ ହାରଠାରୁ ଅଧିକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏମିତି ଯୋଜନା ବିଶ୍ବରେ ବିରଳ । ଏହା ମାଧ୍ୟମରେ ଗରିବ ଲୋକ ବଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି । ରାଜ୍ୟରେ ୬୫୨ ହସ୍ପିଟାଲ, ରାଜ୍ୟ ବାହାରେ ୧୬୪ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି ଗରିବ ଲୋକ । ଏଥିରେ କୋଟିଏ ଲୋକ ଉପକୃତ ହୋଇପାରିଛନ୍ତି ବୋଲି କହିଛନ୍ତି ସଂତୃପ୍ତି ।

ନିରାମୟ ଯୋଜନାରେ ମାଗଣାରେ ୭୫୦ଟି ଔଷଧ ମିଳୁଛି । ନିଦାନରେ ମାଗଣାରେ ପରୀକ୍ଷା ହେଉଛି । ୧୦୮ ଆମ୍ବୁଲାନ୍ସ ଦ୍ୱାରା ଲୋକ ଡାକ୍ତରଖାନା ପହଁଚି ପାରୁଛନ୍ତି । ୨୦ ମିନିଟରେ ରୋଗୀ ଡାକ୍ତରଖାନାରେ ପହଂଚି ପାରୁଛନ୍ତି । ଆମ କ୍ଲିନିକ ପାଇଁ ମଧ୍ୟ ଅନେକ ଲୋକ ସୁବିଧା ପାଇ ପାରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାୟୁସେନା ମାଧ୍ୟମରେ ଡାକ୍ତରମାନେ ଗାଁକୁ ଯାଇ ଚିକିତ୍ସା କରୁଛନ୍ତି । ଏଥିପାଇଁ ମୋବାଇଲ କ୍ଲିନିକର ବ୍ୟବସ୍ଥା ହୋଇଛି । ରାଜ୍ୟରେ ଶିଶୁ ମୃତ୍ୟୁହାର ୭୫ରୁ ୩୬କୁ ଖସିଛି । ମାତୃ ମୃତ୍ୟୁହାର ଜାତୀୟ ହାରଠୁ ଓଡିଶା କମ ରହିଛି ବୋଲି ସେ କହିଛନ୍ତି ।