ଉଦଘାଟନୀ ଉତ୍ସବରେ ନବୀନଙ୍କ ବାର୍ତ୍ତା, ଆତିଥ୍ୟ ପ୍ରଦାନରେ ଓଡ଼ିଶା ସ୍ବତନ୍ତ୍ର

1 min read

କଟକ: ମେଗା ଇଭେଣ୍ଟରେ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଶ୍ବବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ନବୀନ । ଆତିଥ୍ୟ ପ୍ରଦାନରେ ଓଡ଼ିଶା ସ୍ବତନ୍ତ୍ର । ବିଶ୍ବରେ ଓଡ଼ିଶା ଆତିଥେୟତା ଦେବାରେ ନାଁ କରିଛି । ଏବେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡ଼ିଶା । ଏଥିପାଇଁ ସହଯୋଗ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ ।

ଓଡ଼ିଶାରେ ହକି ବିଶ୍ବକପ ହେଉଥିବାରୁ ସେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି । ଉତ୍ସବରେ ଯୋଗଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ବିଶ୍ବର ଅନେକ ସ୍ଥାନରେ ହକି ବିଶ୍ବକପ ଆୟୋଜନ ହୋଇଛି । ହେଲେ ଓଡ଼ିଶା ଯେଭଳି ଆୟୋଜନ କରିଛି ତାହା ଆଉ କେଉଁଠାରେ ଦେଖିବାକୁ ମିଳିନି ।

ହକି ପ୍ରତି ଓଡ଼ିଶା ସରକାର ଓ ନବୀନ ପଟ୍ଟନାୟକଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । FIH ସଭାପତି ତୟବ ଇକରାମ ଉଦବୋଧନ ଦେଇ ହକି ପ୍ରତି ଓଡ଼ିଶାର ଅବଦାନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଓଡ଼ିଶା ହେଉଛି ହକିର ଭୂମି । ଓଡ଼ିଶା ସରକାର ଏହାର ବିକାଶକୁ ଗୁରୁତ୍ବ ଦେଉଛନ୍ତି । ରାଉରକେଲାରେ ବିଶ୍ବର ଶ୍ରେଷ୍ଠ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ତାହା ପ୍ରଶଂସନୀୟ ।