ନୀଳମାଧବ ନିବାସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରରେ କେହି ବି ରହିବେନି ବସ୍ତି ଓ ଝୁମ୍ପୁଡ଼ି ଘରେ । ଏହି କ୍ରମରେ ନୀଳମାଧବ ନିବାସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ । ସହରରେ କେହି ଝୁମ୍ପୁଡ଼ି ଘରେ ରହିବେନି । ଏଥିପାଇଁ ଆବାସ ଯୋଜନା ଜରିଆରେ ଫ୍ଲାଟ ପ୍ରଦାନ କରାଯାଉଛି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ନିର୍ମାଣ ହୋଇଛି ଏହି ନୀଳମାଧବ ନିବାସ ।

ସୂଚନାଯୋଗ୍ୟ, ବସ୍ତିବାସିନ୍ଦାଙ୍କ ପାଇଁ ସ୍ମାର୍ଟ ସିଟିରେ ଆବାସ ସ୍କିମରେ ଘର ଯୋଗାଉଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ନୀଳମାଧବ ନିବାସରେ ୧୨ ଶହ ଘର ନିର୍ମାଣ ହେଉଛି । ପ୍ରଥମ ପର୍ଯ୍ୟାୟରେ ୯୬୦ଟି ଗୃହ ଶେଷ ହୋଇଥିବା ବେଳେ ଆଜି ୪୫୫ ବସ୍ତି ବାସିନ୍ଦାଙ୍କୁ ଘର ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ପରିବାରକୁ ୨୭୫ ସ୍କୋୟାର ଫୁଟର ଏକ ଘର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ନୀଳମାଧବ ନିବାସ ପରିସରରେ ରହିଛି ବହୁମୁଖୀ ସୁବିଧା କେନ୍ଦ୍ର, ସପିଙ୍ଗ କମ୍ପ୍ଲେକ୍ସ, ପାର୍କ, ପାର୍କିଂ ସ୍ଥାନ, ପାର୍କରେ ଜିମ ଓ ଚାଲିବା ରାସ୍ତା, ପିଲାଙ୍କ ଖେଳିବା ପାଇଁ ଦୋଳି ସହ ବିଦ୍ୟୁତ ଓ ପାନୀୟ ଜଳର ସୁବିଧା ।