୩ ଜିଲ୍ଲାରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଗାଁରେ ହେଉଛି ବିକାଶର ସୂର୍ଯ୍ୟୋଦୟ

1 min read

ଭୁବନେଶ୍ବର: ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଲଟିଛି ବିକାଶର ନୂଆ ଦିଗ । ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଭିଯାନ । କାର୍ଯ୍ୟକ୍ରମର ଫୋକସରେ ପ୍ରତି ପଞ୍ଚାୟତ ଓ ଗାଁ । ଗାଁ ବିକାଶରୁ ନବୀନ ଓଡ଼ିଶା ଗଠନର ସ୍ବପ୍ନ । ଏହି କ୍ରମରେ ରାଜ୍ୟର ୩ଟି ଜିଲ୍ଲା ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼ରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରୁ ଭିଡିଓ କନଫରେନ୍ସିଂ ମାଧ୍ୟରେ ୩ ଜିଲ୍ଲାରେ କଲେ ଶୁଭାରମ୍ଭ ।

ମୟୂରଭଞ୍ଜର ୫ଟି ନିର୍ବାଚନ ମଣ୍ଡଳୀରେ ୩ ହଜାର ୮୧ ପ୍ରକଳ୍ପ ପାଇଁ ୧୧୧ କୋଟି  ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ସେହିପରି ବରଗଡର ୫ଟି ନିର୍ବାଚନ ମଣ୍ଡଳୀରେ ୩ ହଜାର ୧୩୫ ପ୍ରକଳ୍ପ ପାଇଁ ୧୨୬ କୋଟି ୫୦ ଲକ୍ଷ ଓ ଦେବଗଡର ଗୋଟିଏ ନିର୍ବାଚନ ମଣ୍ଡଳୀରେ ୯୯୧ ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଯୋଜନ ଅନୁସାରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା ।

ମୟୂରଭଞ୍ଜର ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଓ ଉଦଳା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଏହି ଯୋଜନା । ଏସବୁ ନିର୍ବାଚନ ମଣ୍ଡଳୀର ୨୨୩ଟି ପଞ୍ଚାୟତରେ ୩ ହଜାର ୮୧ଟି ପ୍ରକଳ୍ପ ହେବ । ସେହିପରି ବରଗଡ ଜିଲ୍ଲାର ଅତାବିରା, ବିଜେପୁର, ବରଗଡ, ପଦମପୁର ଓ ଭଟଲି ନିର୍ବାଚନ ମଣ୍ଡଳୀର ୨୫୩ଟି ପଞ୍ଚାୟତରେ ହେବ ୩ ହଜାର ୧୩୫ଟି ପ୍ରକଳ୍ପ । ଦେବଗଡ ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀରେ ୭୦ଟି ପଞ୍ଚାୟତରେ କାର୍ଯ୍ୟକାରୀ ହେବ ୯୯୧ଟି ପ୍ରକଳ୍ପ ।

ଆମ ଓଡିଶା ନବୀନ ଓଡିଶା ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟସ୍ଥଳରୀ ସଂରକ୍ଷଣ କରିବ । ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନକେନ୍ଦ୍ର, ଦକ୍ଷତା ବିକାଶ, ବ୍ୟାଙ୍କିଂ ଆଦି କ୍ଷେତ୍ରକୁ ବିକଶିତ କରି ସବୁ ବର୍ଗଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ବଳ କରିବ ।

୩ ଜିଲ୍ଲାରେ ଯୋଜନାର ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସବୁ ଗାଁର ବିକାଶ ଆମର ଲକ୍ଷ୍ୟ । ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ । ଗାଁ ଲୋକଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ମିଳିବ । ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ ।’

ଆଗକୁ ସେ କହିଛନ୍ତି, ‘ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଆମର ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ସଂରକ୍ଷଣ ଓ ସୁରକ୍ଷା ଜରୁରୀ ।’

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର, ଓ୍ବାର୍କ ହବ୍ ହେବ । ବ୍ୟାଙ୍କିଂ ସୁବିଧା  ମିଳିବ । କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ବିଦ୍ୟାଳୟକୁ ବି ସାମିଲ କରାଯିବ । ଏହା ଆମର ଯୁବ ସମାଜ, ମାଆ, ଚାଷୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ସୁଦୃଢ ହେବା ସହ ଡେଣା ହେବ ଶକ୍ତ ଓ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

୩ ଜିଲ୍ଲାର ୨୩ଟି ବିକାଶମୂଳକ ପ୍ରକଳ୍ପ ପାଇଁ ୨୬୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର

5T ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ରୀତା ସାହୁ, ସାଂସଦ ମମତା ମହନ୍ତ, ବିଧାୟକ ରାଜକିଶୋର ଦାସ, ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ବର୍ଷା ସିଂ ବରିହା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ବିକାଶର ନୂଆ ଯୁଗ ଆସିଛି ବୋଲି ମତ ଦେଇଥିଲେ । 5T ସଚିବଙ୍କ ଗସ୍ତ ଯୋଗୁଁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟାର ସମାଧାନ ହୋଇପାରିଛି ବୋଲି ସେମାନେ କହିଥିଲେ ।

ସିଏମଓ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ପ୍ରକଳ୍ପ ସବୁ ମଞ୍ଜୁର କରିଛନ୍ତି, ସେ ସଂପର୍କରେ 5T ସଚିବ ସୂଚନା ଦେଇଥିଲେ । ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବା ସେ କହିଛନ୍ତି ।

5T ସଚିବ କହିଛନ୍ତି, ‘ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ବାରିପଦା ସହରର ରିଂଗ ରୋଡ ତଥା ବନ୍ୟା ନିୟନ୍ତ୍ରଣ ବନ୍ଧ ପାଇଁ ୧୫୪.୧୨ କୋଟି, ବାରିପଦା ଏମପିସି କଲେଜ ଉନ୍ନତିକରଣ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା, ମାଣତ୍ରୀଠାରେ ବାବା କଖାରୁଆ ବୈଦନାଥ ଶିବ ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି, ବାରିପଦାରୁ ପ୍ରତାପପୁର ବଡସାହି ଦେଇ ମାଣିତ୍ରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩୭.୦୪ କୋଟି, ବେତନଟୀ-ବଡସାହି ରାସ୍ତାର ଉନ୍ନତିକରଣ ପାଇଁ ୧୯.୪୪ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।’

ବରଗଡ ଜିଲ୍ଲାରେ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର ପାଇଁ ୧.୩୬ କୋଟି, ବରଗଡ ମହିଳା କଲେଜ ପାଇଁ ୧.୨୫ କୋଟି, ବରଗଡ ପଞ୍ଚାୟତ କଲେଜ ପାଇଁ ୧.୨୫ କୋଟି,  ସରଣ୍ଡା ବିଶେଶ୍ବର ମନ୍ଦିର ପାଇଁ ୨.୬୦ କୋଟି, ପପଙ୍ଗା ପାହାଡ ପର୍ଯ୍ୟଟନ କେନ୍ଦ୍ର ପାଇଁ ୧.୮୦ କୋଟି, ଅତାବିରା ରାମଚଣ୍ଡୀ ମନ୍ଦିର ପାଇଁ ୧.୪୦ କୋଟି, ଲରମ୍ଭା କଲେଜ ପାଇଁ ୧.୨୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ସେହିପରି ଦେବଗଡ ଜିଲ୍ଲାର ଗୋହିରା ଡ୍ୟାମ୍‌ କେନାଲ ଲାଇନିଂ ପାଇଁ ୧୭.୬୮ କୋଟି, ତିଲେଇବଣି ହକି ଟ୍ରେନିଂ ସେଣ୍ଟରରେ ସିନ୍ଥେଟିକ ଟର୍ଫ ପାଇଁ ୧୨ କୋଟି, ଝାଡେଶ୍ବର ମନ୍ଦିର ବିକାଶ ପାଇଁ ୩.୧୦ କୋଟି, ଦେବଗଡ ମଡେଲ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦେବଗଡ କଲେଜ ପାଇଁ ୧ କୋଟି, ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୯୨ କୋଟି, କୁରୁଡକୋଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୫ କୋଟି, ଦେଓଝରଣ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୭ କୋଟି, ଗୋହିରା ନିକଟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୦.୬୨ କୋଟି, ରିଆମାଳ ଯୋଗିହୁଲି ପର୍ଯ୍ୟଟନ କ୍ଷେତ୍ର ପାଇଁ ୦.୬ କୋଟି ଓ ରିଆମାଳ ଭିତରପଡାଠାରେ ଡୋକ୍ରା କାରିଗରଙ୍କ ପାଇଁ କମନ ଫ୍ୟାସିଲିଟି ସେଣ୍ଟର ବିକାଶ ପାଇଁ ୦.୪୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଚୁର କରିଛନ୍ତି ।