ନୂଆପଡ଼ାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୪୭୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ

1 min read

ନୂଆପଡ଼ା/ଭୁବନେଶ୍ୱର:ନୂଆପଡ଼ାର ସ୍ୱାସ୍ଥ୍ୟ ସେବାର ନୂଆ ଅଧ୍ୟାୟ । ନୂଆପଡ଼ା ଜିଲ୍ଲାରେ BSKY ସ୍ମାର୍ଟସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେସିଂରେ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ଲକ୍ଷ ୭୨ ହଜାର ୬୪୩ କାର୍ଡ ବଣ୍ଟନ କରାଯାଇଛି । ସେହିଭଳି ୪ ଶହ ୭୯ କୋଟି ଟଙ୍କାର ଜନାହିତକର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ନବୀନ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ନୂଆ ପରିଚୟ ନେଇ ଆଗକୁ ଯାଉଛି ନୂଆପଡା । ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନୂଆ ଭାବରେ କାର୍ଯ୍ୟକାରୀ କରାଯାଉଛି ।

ଦେଶର ବଡ଼ ବଡ଼ ହସପିଟାଲରେ ଚିକିତ୍ସିତ ହୋଇପାରିବେ ଲୋକେ । ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ । ମୋ ପାଇଁ ପ୍ରତ୍ୟେକ ଟି ଜୀବନ ମୂଲ୍ୟବାନ, ଚିକିତ୍ସା ନପାଇ କେହି ମୃତ୍ୟୁ ମୁଖରେ ପଡ଼ିଲେ ମୋତେ ଦୁଃଖ ଲାଗେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଚାଷ କ୍ଷେତ୍ରରେ ନୂଆପଡା ନୂଆ ପରିଚୟ ପାଇଛି । ଜିଲ୍ଲାର ୮୦ ପ୍ରତିଶତ ପରିବାରଙ୍କ ନିକଟରେ ପିଇବା ପାଣି ପହଞ୍ଚିଛି । ସବୁ ଗାଁ ସବୁ ପଡ଼ାକୁ ପିଇବା ପାଣି ଯୋଗାଣ ଜାରି ରହିଛି । ଏବେ ବିକାଶର ଧାରାରେ ନୂଆପଡା ଯୋଡି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ବିଧାୟକ ଓ ଜନ ପ୍ରତିନିଧୀମାନେ ଉପସ୍ଥି ଥିଲେ ।

ଅନ୍ୟପକ୍ଷରେ ସୋମବାର କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ନିଜ ହାତରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହାସହ ପାଖାପାଖି ୯୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ।

ଜୟ ମାଆ ମାଣିକେଶ୍ୱରୀରୁ ଜିଲ୍ଲାବାସୀଙ୍କ ଉଦ୍ଦେଶରେ ନିଜ ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ୮ ଶହ ୬୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରି ବହୁତ ଖୁସି ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିର ପ୍ରତି ଗାଁରେ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ୨୫୦୦ କୋଟି ଟଙ୍କାର କାମ ଚାଲିଛି । ଗତ ଜୁନରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଅପର ଇନ୍ଦ୍ରାବତୀ ଲିଫ୍ଟ କେନାଲର ଶୁଭାରମ୍ଭ କରିଥିଲେ । ଏବେ ୬୮ ପ୍ରତିଶତ ଜମିକୁ ଜଳଯୋଗାଣ ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘ଧାନ ଉତ୍ପାଦନରେ କଳାହାଣ୍ଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଜିଲ୍ଲାରେ ଧାନ ଉତ୍ପାଦନ ୭୬ ଲକ୍ଷ ଟନରେ ପହଞ୍ଚିଛି । ମାଛ ଉତ୍ପାଦନରେ କଳାହାଣ୍ଡି ଜାତୀୟ ପୁରସ୍କାର ପାଇଛି । କପା ଉତ୍ପାଦନରେ ମଧ୍ୟ କଳାହାଣ୍ଡି ପୂରା ରାଜ୍ୟରେ ସମସ୍ତଙ୍କଠାରୁ ଆଗରେ ରହିଛି । ବିଜୁ ଏକ୍ସପ୍ରେସ ହେଉ କି ଭବାନରପାଟଣା ବାଇପାସ କିମ୍ବା ଭବାନୀପାଟଣା-ରାୟଗଡ଼ା ରାସ୍ତା କାମ ଓ ଗ୍ରୀଡ଼ ସବଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମରେ କଳାହାଣ୍ଡି ସଫଳତାର ସହ ଆଗେଇ ଚାଲିଛି ।’

ସେ ଆହୁରି କହିଛନ୍ତି, ‘ମିଶନ ଶକ୍ତିରେ କଳାହାଣ୍ଡିର ମାଆମାନେ ବହୁତ ଭଲ କାମ କରୁଛନ୍ତି । କଳାହାଣ୍ଡି ଆଜି ଏକ ଶିକ୍ଷା ହବ୍ ହୋଇପାରିଛି । କଳାହାଣ୍ଡି ୟୁନିଭର୍ସିଟି, କଳାହାଣ୍ଡି ଇଂଜିନିୟରିଂ କଲେଜ, ସରକାରୀ ଏଗ୍ରିକଳଚର କଲେଜ ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ।’

ଆଜି କଳାହାଣ୍ଡି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଏହି କାର୍ଡ ଦିଆଯିବ । ରାଜ୍ୟର ସାଢେ ୩ କୋଟି ଲୋକ ଏଥିରୁ ଉପକୃତ ହେବ । ପୁରୁଷମାନଙ୍କ ପାଇଁ ୫ ଲକ୍ଷ  ଓ ମାଆମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଅର୍ଥାଭାବରୁ ଆଉ କେହି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେନି । ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ଅର୍ଥରେ ଘରର ଉନ୍ନତି କରିପାରେବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply