ରାଜ୍ୟରେ ଆଉ ୬ଟି ପ୍ଲାନେଟାରିଅମ ଓ ୩୦ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯିବ: ମୁଖ୍ୟମନ୍ତ୍ରୀ

1 min read
CM Naveen Lay Foundation Stone For Planetarium In Rayagada

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡ଼ାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନୋବୃତି ନେଇ ଜୀବନରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ଲାନେଟାରିଅମ ଅଛି । ଏହାସହିତ ଆଉ ୬ଟି ପ୍ଲାନେଟାରିଅମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୩୦ଟି ଜିଲ୍ଲାରେ ମଧ୍ୟ ୩୦ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଏଥିପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟାରିଅମକୁ ଏକ 3-D ପ୍ଲାନେଟାରିଅମରେ ପରିଣତ କରାଯିବ ବୋଲି ସେ କହିଥିଲେ ।

CM Naveen Lay Foundation Stone For Planetarium In Rayagada

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମଣିଷ ସଭ୍ୟତାର ବିକାଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଜ୍ଞାନ ବିନା ଆଜି ଜୀବନଯାପନ କରିବା ସମ୍ଭବ ନୁହେଁ । ଯଦି ଆଜି ମଣିଷ ସଭ୍ୟତାର ଶିଖରରେ ପହଞ୍ଚିପାରିଛି, ତେବେ ଏହା ହେଉଛି ବିଜ୍ଞାନର ଅବଦାନ । ବିଜ୍ଞାନ ଓ ବିକାଶ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି- ଓଡ଼ିଶା ଆଜି ବିକାଶ ପଥରେ ଅଗ୍ରଗତି କରି ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି (ନଲେଜ ଇକୋନୋମି) ଦିଗରେ ଅଗ୍ରସର ହେଉଛି । ବିକାଶର ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଭିତରେ ବୈଜ୍ଞାନିକ ମନୋବୃତି, ଅନୁସନ୍ଧିତ୍ସୁ ମନୋଭାବ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରା ରହିବା ଜରୁରୀ । ରାଜ୍ୟ ସରକାର ଓଡ଼ିଶାରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ଶିକ୍ଷାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ବିଜ୍ଞାନ ଶିକ୍ଷା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଦ୍ୱାରା ସମାଜରେ ବୈଜ୍ଞାନିକ ମନୋଭାବ ବୃଦ୍ଧି ପାଇବା ସହିତ ପିଲାମାନଙ୍କ ମଧ୍ୟରେ ତର୍କସଙ୍ଗତ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

CM Naveen Lay Foundation Stone For Planetarium In Rayagada

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଠାରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ କହିଛନ୍ତି- ବିକାଶର ଧାରାରେ ବିଜ୍ଞାନର ସହାୟତା ସବୁବେଳେ ଜରୁରୀ । ରାୟଗଡ଼ାରେ ପ୍ଲାନେଟାରିଅମ୍‌ ସ୍ଥାପନ ଦ୍ୱାରା ସ୍ଥାନୀୟ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି- ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାନେଟାରିଅମ୍‌ ଓ ଜିଲ୍ଲା ଗୁଡ଼ିକରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଭୁବନେଶ୍ୱରର ପ୍ଲାନେଟାରିଅମ୍‌କୁ ଆହୁରି ବଡ଼ କରାଯାଇ ଏଥିରେ ୧୨୦ ଜଣ ବସିବାର ବ୍ୟବସ୍ଥା କରାଯାଉଛି ।

ସେହିପରି ଜୟପୁର ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି- ଜୟପୁରରେ ପ୍ଲାନେଟାରିଅମ୍‌ ପ୍ରତିଷ୍ଠା ସମଗ୍ର କୋରାପୁଟ ଜିଲ୍ଲା ପାଇଁ ଖୁସିର କଥା । ଆଧୁନିକ ସମାଜରେ ବିଜ୍ଞାନଭିତ୍ତିକ ଜୀବନଶୈଳୀ ବହୁତ ଜରୁରୀ । ଏହି ପଦକ୍ଷେପ ଦ୍ୱାରା ବିଜ୍ଞାନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଇବ । ଏହି କାର୍ଯ୍ୟକ୍ରମରେ ପ୍ଲାନେଟାରିଅମ ଓ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ, ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ ।

Leave a Reply