ନୂଆ ବର୍ଷରେ ଲେଖାହେଲା ନୂଆ ଅଧ୍ୟାୟ; କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର :  କଥା ଦେଇ କଥା ରଖିଲେ ନବୀନ । ନୂଆବର୍ଷରେ ନୂଆ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ । ୪ବର୍ଷରେ ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ କାମ । ରାଜ୍ୟବାସୀ ପାଇବେ ମେଟ୍ରୋ ଟ୍ରେନ୍ ସୁବିଧା । ରାଜ୍ୟ ବିକାଶ ଇତିହାସରେ ଆଜି ଏକ ସ୍ବତନ୍ତ୍ର ଦିବସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବହନ କ୍ଷେତ୍ରରେ ଆସିବ ବଡ଼ ରୂପାନ୍ତରଣ । ଲକ୍ଷ୍ମୀ ଯୋଜନା ଗାଁ ଗାଁରେ ଆଣିଛି ରୂପାନ୍ତରଣ ।

ନୂଆବର୍ଷରେ ଲେଖାହେଲା ନୂଆ ଅଧ୍ୟାୟ । କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ଐତିହାସିକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୬ ହଜାର ୨୫୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର ।

ଏବେ ମେଟ୍ରୋ ଟ୍ରେନ୍ ଏହି ରୂପାନ୍ତରଣକୁ ଆହୁରି ଆଗକୁ ନେବ । ପୁରୁଣା ରାଜଧାନୀ କଟକ ଓ ନୂଆ ରାଜଧାନୀ ଭୁବନେଶ୍ବର ମଧ୍ୟରେ ସଂପର୍କକୁ ମଜଭୁତ କରିବ । ରାସ୍ତାରେ ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ନୂଆବର୍ଷର ଏହି ଖୁସି ସବୁଦିନ ଜାରି ରହୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକାଶର ପର୍ବ ଲୋକଙ୍କ ସହଯୋଗରେ ଆଗକୁ ବଢିବ। ୬ହଜାର କୋଟିରୁ ଅଧିକ ବ୍ୟୟ ବରାଦ କରାଯାଇଛି। ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ୨୦ଟି ଷ୍ଟେସନ ରହିବ । ଏହା ରାଜ୍ୟ ସରକାରଙ୍କ ନିଜସ୍ବ ବଜେଟରେ ହେଉଥିବା ସବୁଠୁ ବଡ଼ ପ୍ରକଳ୍ପ। ମେଟ୍ରୋ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତି ।