spot_img

Latest Posts

ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତରଣ, ୧୫ କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତରଣ। ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡିକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ।

ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା। ବିଏମସିର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ।

ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏସବୁ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ, ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ସ୍ମାର୍ଟ ସିଟି ଭୁବନେଶ୍ୱର ମନ୍ଦିରମାଳିନୀ ନଗରୀ ଭାବରେ ପ୍ରସିଦ୍ଧ। ଏଠାରେ ୭୦୦ରୁ ଅଧିକ ମନ୍ଦିର ରହିଛି। ବହୁ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମନ୍ଦିର ମଧ୍ୟ ରହିଛି। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏସବୁ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥାନ୍ତି। ଏହିସବୁ ପ୍ରାଚୀନ କୀର୍ତ୍ତିରାଜି ସହିତ ସମସ୍ତ ଧାର୍ମିକସ୍ଥଳୀ ଗୁଡିକର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅର୍ଥ ମଞ୍ଜୁର କରାଯାଇଛି। ଏଥିସହିତ ବିଭିନ୍ନ ଗୋଷ୍ଠୀ ସମ୍ପତ୍ତି, କ୍ଲବ, ମହିଳା ସମିତି ଗୃହ ଓ ପୂଜା ମଣ୍ଡପଗୁଡିକର ନୂତନ ନିର୍ମାଣ ସହିତ ବିକାଶ କାର୍ଯ୍ୟ କରାଯିବ।

Latest Posts

Don't Miss