ନୂଆ ଆର୍ଥିକ ବର୍ଷରେ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ‘କାଳିଆ’ରୁ କାମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read
CM Naveen Patnaik Starts Work In New Financial Year by Providing Kalia Assistance To Farmer

ଭୁବନେଶ୍ୱର: ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ରବି ଋତୁ ପାଇଁ ଜମା କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ପବିତ୍ର ଓଡ଼ିଶା ଦିବସ । ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ । ଏହି ଅବସରରେ ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି ।

ଆଜି ଠାରୁ ମଧ୍ୟ ଆମର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ହିଁ ମୁଁ ଆଜି ନୂଆ ଆର୍ଥିକ ବର୍ଷ ଆରମ୍ଭ କରୁଛି । କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ । ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ ୭୦୦ କୋଟି ଟଙ୍କା ଜମା କରାଗଲା । ସୂଚନା ଯୋଗ୍ୟ, କାଳିଆ ଯୋଜନାରେ ସରକାର ୩୭ ଲକ୍ଷ ଚାଷୀଙ୍କୁ ସାମିଲ୍ କରିଛନ୍ତି । ସେଥିରେ ୧୭ ଲକ୍ଷ ଭୂମିହୀନ ଗରିବ ଅଛନ୍ତି । ଦେଶର ଏକମାତ୍ର ଯୋଜନା ଭାବେ କାଳିଆ ଭୂମିହୀନ ଗରିବଙ୍କ ସହ ଚାଷୀଙ୍କୁ ସହାୟତା ପ୍ରଦାନ କରୁଛି ।

CM Naveen Patnaik Starts Work In New Financial Year by Providing Kalia Assistance To Farmer

ଚାଷୀର ତ୍ୟାଗ ଓ ସ୍ବାଭିମାନ ହିଁ ଆଜି ଓଡ଼ିଶାର ସ୍ବାଭିମାନ ବୃଦ୍ଧି କରିଛି । ଓଡ଼ିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୃଷି କର୍ମଣ ପୁରସ୍କାର ପାଇ ଓଡ଼ିଶା ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୂନ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଆମର ଚାଷୀ ଭାଇଙ୍କୁ ଉତ୍ସାହିତ କରିଛି । ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀ ଆମ ଅର୍ଥନୀତିର ମହାଶକ୍ତି । କୋଭିଡ୍ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛି । ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି- ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ ଏମଏସପି କାହାର ଦୟା ନୁହେଁ । ଏହା ଚାଷୀର ହକ୍‌ । ଚାଷୀକୁ ତାର ହକ୍‌ ଦେବାପାଇଁ ଆମର ଲଢେଇ ଜାରି ରହିଛି । ସ୍ୱାମୀ ନାଥନ୍ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବୀ ଜାରି ରହିବ। ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ବ ନିଷ୍ଠାର ସହ କରିଚାଲିଛି । ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଉଛି । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ।  ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ  ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲାର ଚାଷୀଙ୍କୁ ବର୍ତ୍ତମାନ କାଳିଆ ସହାୟତା ଦିଆଯାଇଛି ।

Leave a Reply