ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ସମ୍ବଲପୁର: ସମ୍ବଲପୁରରେ ମୁଖ୍ଯମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି । ରାଜ୍ଯ ହିତ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ବିଜେଡିର ପ୍ରାର୍ଥୀମାନଙ୍କୁ ଚିହ୍ନି ଶଂଖ ଚିହ୍ନରେ ଭୋଟ ଦେବାକୁ ସେ ଅପିଲ କରିଛନ୍ତି ।
ଏହି ଅବସରରେ ବିଭିନ୍ନ ଜନହିତକର ଯୋଜନା ଉପରେ ଲୋକଙ୍କ ମତାମତ ନେବା ସହ ବିଡି ଶ୍ରମିକଙ୍କ ପାଇଁ ପ୍ଯାକେଜ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । କାଳିଆ, ମମତା, ମଧୁବାବୁ ପେନସନ, ଚାଉଳ କାର୍ଡ, ଲକ୍ଷ୍ମୀ ବସ, 5T ସ୍କୁଲ, ମାଆ ସମଲେଈ କାମ, ପୁରୀ କାମ ଭଲ କି ନୁହେଁ ପଚାରି ବୁଝିଥିଲେ ନବୀନ । ଏସବୁ ପାଇ କି ଆପଣମାନେ ଖୁସି କି ନୁହଁ ବୋଲି ମଧ୍ଯ ପଚାରିଥିଲେ । ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ କହିଲା ବେଳେ ସଭା ସ୍ଥଳ ଖୁସିରେ କମ୍ପି ଉଠିଥିଲା ।
ଏହାପରେ ସମ୍ବଲପୁର ମାଟିରୁ କେନ୍ଦ୍ରକୁ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଖୁବ ସମଲୋଚନା କରିଥିଲେ । ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଥିଲେ ଏକାଧିକ ପ୍ରଶ୍ନ । କହିଥିଲେ, ଅଞ୍ଚଳର ଭାଷା, କଳା ଓ ସଂସ୍କତି ଲାଗି ସମ୍ବଲପୁର ପାଇଛି ସ୍ଵତନ୍ତ୍ର ପରିଚୟ । ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଠମ ଅନୁଚ୍ଛେଦରେ ସାମିଲ ଲାଗି ଲଗାତର ୫ ଥର ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ କେନ୍ଦ୍ର କିଛି କଲା ନାହିଁ । କାହିଁକି କୋଶଳୀ ଭାଷା ଆଜି ପର୍ଯ୍ୟନ୍ତ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇନାହିଁ ବୋଲି ପଚାରିଛନ୍ତି ପାଣ୍ଡିଆନ ।
ସମ୍ବଲପୁରୀ ଶାଢୀରେ ଥିବା ଇକତ ଡିଜାଇନକୁ ସ୍ଵତନ୍ତ୍ର ପରିଚୟ ଦେବାକୁ ଦିଲ୍ଲୀରେ ଥିବା କୃଷି ଭବନର ଜିଜାଇନ ଏହି ସମ୍ବଲପୁରୀ ଶାଢୀ ଡିଜାଇନରେ କରାଯାଇଛି । ଏହି କୋଠାର ଡିଜାଇନ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି । କଳାଭୂମିରେ ସମ୍ବଲପୁରୀ ଶାଢୀ ମ୍ଯୁଜିୟମ ତିଆରି କରୁଛନ୍ତି । ଅଞ୍ଚଳରୁ ଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁରୀ ଶାଢୀର ଉନ୍ନତି ଓ ଏହାକୁ ଜୀବିକା କରିଥିବା ବୁଣାକାରଙ୍କ ପାଇଁ କ’ଣ କରିଛନ୍ତି ବୋଲି ପଚାରିଛନ୍ତି କାର୍ତ୍ତିକ । କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଏଠାରେ ଟେକ୍ସଟାଇଲ ପାର୍କ କରିପାରିଥାନ୍ତେ । ବୁଣାକାରଙ୍କ ସହଯୋଗ ଲାଗି ସମ୍ବଲପୁରୀ ଶାଢୀର ରପ୍ତାନୀ ଲାଗି ପଦକ୍ଷେପ ନେଇପାରିଥାନ୍ତେ ବୋଲି ମଧ୍ୟ କହିଛନ୍ତି ।
ଅଂଚଳର ବରପୁତ୍ରଙ୍କ ସ୍ମୃତି ପୀଠ ଲାଗି କେନ୍ଦ୍ରମନ୍ତ୍ରୀ କିଛି କରିନାହାନ୍ତି । ଯାହା ବି କରିଛନ୍ତି ମୁଖ୍ୟମନ୍ତ୍ରୀ ବଡ଼଼ ବଡ଼ ସ୍ମୃତି ପୀଠ କରିଛନ୍ତି । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର କେନ୍ଦ୍ର ସହ ମିଶି ବେଆଇନ ଆଡ଼ିବନ୍ଧ ଓ ଡ୍ଯାମ ନିର୍ମାଣ କଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସୁପ୍ରିମକୋର୍ଟରେ ମହାନଦୀ ଟ୍ରିବ୍ଯୁନାଲ ଗଠନ ହେଲା । ଏହି ଟ୍ରିବ୍ଯୁନାଲ ଗଠନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର । ସେହି ସମୟରେ ଏଠାକାର କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଠିଆ ହୋଇଥିଲେ । ସମ୍ବଲପୁର, ବରଗଡ଼ ସହ ଶେଷରେ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ । ସେ ଭୋଟ ରାଜନୀତି କଲେ । ସମ୍ବଲପୁରରେ ମାଆ ସମଲେଇଙ୍କ ଆଶୀର୍ବାଦରେ ଅନେକ କାମ ହେଲା । ମାଆଙ୍କ ଆଶୀର୍ବାଦରେ କାମ ହେଲା ହେଲେ ଏଠାରେ ଯିଏ ଠିଆ ହୋଇଛନ୍ତି ମା ସମଲେଇଙ୍କ କାମ ବନ୍ଦ କରିବାକୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ । ଏହାଠାରୁ ଲଜ୍ଜାର କଥା କିଛି ହୋଇପାରିବନି ବୋଲି କହି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି ପାଣ୍ଡିଆନ ।
କେନ୍ଦୁପତ୍ର ତୋଳାଳି ଉପରେ ପଡୁଥିବା ଜିଏସଟି କେନ୍ଦ୍ର ଛାଡ଼ କରିବ କହିଥିଲା । ହେଲେ କିଛି କଲେ ନାହିଁ । କେନ୍ଦୁପତ୍ର ତୋଳାଳିଙ୍କୁ ପ୍ଯାକେଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଧାନର ଏମଏସପି ଦୁଇଗୁଣା କରିବୁ କହୁଥିଲେ । ଦୁଇ ଗୁଣା ହେଲା କି ବୋଲି ପଚାରିଛନ୍ତି ପାଣ୍ଡିଆନ। ଦମ ଥିଲେ ଏସବୁର ଉତ୍ତର କେନ୍ଦମନ୍ତ୍ରୀ ଦିଅନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ । ସମ୍ବଲପୁରର ସମସ୍ତ ସ୍କୁଲକୁ ରୂପାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଅଂଚଳର ଶିକ୍ଷା ମନ୍ତ୍ରୀ ଅଛନ୍ତି ହେଲେ ଗୋଟିଏ ବି ସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟଟିଏ ଖୋଲି ପାରିଲେନି । ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ୱେ ୩ ବର୍ଷରେ ୩୫୦ କିଲୋମିଟର କରିପାରିଲେ । ହେଲେ ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୫୫ । ଗୋଟିଏ ରାସ୍ତା ୧୦ ବର୍ଷ ହେଲା କରିପାରିନାହାନ୍ତି କେନ୍ଦ୍ର ସରକାର । ରାଜ୍ୟରେ ଗୋଟିଏ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ କରିପାରିନାହାନ୍ତି କେନ୍ଦ୍ରମନ୍ତ୍ରୀ । ମହାନଦୀ କୋଲ୍ଡଫିଲ୍ଡରୁ କେନ୍ଦ୍ର ପ୍ରତିବର୍ଷ ୨୭ ହଜାର କୋଟି ରାଜସ୍ଵ ପାଉଛନ୍ତି । ହେଲେ ରାଜ୍ୟକୁ ମାତ୍ର ଦେଉଛନ୍ତି ୪ ହଜାର କୋଟି । ତୈଳ ମନ୍ତ୍ରୀ ଥିଲେ, ହେଲେ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜି ଦର କମ କରିପାରିନାହାନ୍ତି । ମାଆମାନଙ୍କୁ ଦୁଃଖ ଦେଲେ କନ୍ଦେଇଲେ । ତେଲ ଦର କମିଲା କି, ଏଲପିଜି ଦର କମିଲା କି, ସମ୍ବଲପୁର ରାସ୍ତା ଠିକ୍ ହେଲା କି ବୋଲି ପଚାରିବା ସହ ଏହାର କ’ଣ ଉତ୍ତର ଦେବେ ବୋଲି ପଚାରିଛନ୍ତି ପାଣ୍ଡିଆନ। ବିଜେଡିର ଦୁଇ ନେତାଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।