କେନ୍ଦୁଝରରେ ଲେଖାହେବ ନୂଆ କାହାଣୀ, ଆରମ୍ଭ ହେବ ସ୍ୱାସ୍ଥ୍ୟସେବାର ନୂଆ ଯୁଗ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି କେନ୍ଦୁଝରରେ ଲେଖାହେବ ନୂଆ କାହାଣୀ । ଆରମ୍ଭ ହେବ ସମୃଦ୍ଧ ସ୍ବାସ୍ଥ୍ୟସେବାର ନୂଆ ଯୁଗ । ଉଦଘାଟିତ ହେବ ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ । କେନ୍ଦୁଝର ଯାଇ ଜିଲ୍ଲାବାସୀଙ୍କୁ ୪ହଜାର ୭ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୧୫ରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଯାଇ ମଡିକାଲ କଲେଜର ଶୁଭ ଉଦଘାଟନ କରିବେ ।

୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡ଼ିକାଲ୍ କଲେଜ । ଏଥିରେ ପ୍ରଥମ ବର୍ଷରେ ୧୦୦ଟି MBBS ସିଟରେ ଆଡମିଶନ ହୋଇଛି । ୨୦୧୬ରେ ଧରଣୀ ଧର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ମିଳିପାରିବ ଉନ୍ନତମାନର ସ୍ବାସ୍ଥ୍ୟସେବା । ମେଡିକାଲ କଲେଜ ଉଦଘାଟନ ପରେ ଏସ ୪ ହଜାର ୭ ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ପରେ ୧୨ଟା ୨୧ ମିନିଟରେ ଭୁବନେଶ୍ବର ଫେରିଆସିବା କାର୍ଯ୍ୟକ୍ରମ ରହିଛି । ଗତକାଲି କେନ୍ଦୁଝରକୁ ବିଶ୍ବବିଦ୍ୟାଳୟ ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ । ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଡିଡି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଉପକୃତ ହେବେ ଜିଲ୍ଲାର ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।