spot_img

Latest Posts

୩୯ଟି ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ: ଆସନ୍ତା ୨୧ରେ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କଲ୍ ଯୋଗେ ଶାସନ ଆମ୍ଵ ଗାଁର ବୃନ୍ଦାବନ ସ୍ମୃତି ବିଦ୍ୟାପୀଠର ଛାତ୍ରଛାତ୍ରୀ ମୀରା ସ୍ୱାଇଁ ଓ ଦୀପକ ଦଳାଇଙ୍କ ସହ କଥା ହୋଇ ସ୍କୁଲ ରୂପାନ୍ତରୀକରଣ କାମ ସମ୍ପର୍କରେ ପିଲା ତଥା ଅଭିଭାବକମାନଙ୍କ ମତାମତ ଲୋଡ଼ିଥିଲେ । ସେମାନେ ସ୍କୁଲ ରୂପାନ୍ତରୀକରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ।

ଶ୍ରୀ ପାଣ୍ଡିଆନ ପ୍ରଥମେ ହିଞ୍ଜିଳି ଓ ଶେରଗଡ଼ରେ ଥିବା ୩୯ଟି ହାଇସ୍କୁଲରେ ୫-ଟି କାର୍ଯ୍ୟକ୍ରମ ଅଧିନରେ ଚାଲିଥିବା ରୂପାନ୍ତରୀକରଣ କାମ ପର୍ଯ୍ୟବେକ୍ଷଣ କରିଥିଲେ। ଏହି ଅବସରରେ ସେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧି  ମାନଙ୍କ ସହିତ ଏହି ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସ୍ମାର୍ଟ କ୍ଲାସ ରୁମ୍‌ କାର୍ଯ୍ୟକ୍ରମରେ ସ୍କୁଲ ଗୁଡିକରେ ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, Hygenic toilet, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଖେଳପଡ଼ିଆ ଓ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମକୁ ୫-ଟି ସଚିବ ପର୍ଯ୍ୟବେକ୍ଷଣ କରି ଅଗ୍ରଗତିର ସମୀକ୍ଷା କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି ଯେ ହିଞ୍ଜିଳି ଓ ଶେରଗଡର ୩୯ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ କାମ ସମ୍ପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୧ ତାରିଖରୁ ଏହାକୁ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ୧୦୭୨ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍ ବିକାଶ କରାଯାଉଛି। ଏଥିରେ ପିଲାଙ୍କ ପାଇଁ କମ୍ପ୍ୟୁଟ ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟୋରୀ, ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା କରାଯାଉଛି । ଏହାପରେ ୫-ଟି ସଚିବ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଓ ଏହାର ପାରିପାର୍ଶ୍ୱିକ୍ ବିକାଶ କାମ ପର୍ଯ୍ୟବେକ୍ଷଣ କରିଥିଲେ। ମନ୍ଦିରର ପ୍ରସାଦ ସେବନ ହଲ୍‌, ଦୀପଘର, ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ ଆଦି ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ। ଏହା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇ ସେ ଅଧିକାରୀମାନଙ୍କୁ ମନ୍ଦିର ବିକାଶ କାର୍ଯ୍ୟକୁ ନଭେମ୍ବର ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପରେ ଶ୍ରୀ ପାଣ୍ଡିଆନ ପୁରୁଷୋତ୍ତମପୁର ଆଇ.ଟି.ଆଇ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ  ଏବଂ ପିଲାମାନଙ୍କୁ ଶିକ୍ଷାଦାନ ପଦ୍ଧତିରେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।  ଏହି ଆଇ.ଟି.ଆଇରେ ପାଠ ପଢୁଥିବା ୯୦ ପ୍ରତିଶତ ପିଲା ଚାକିରି ପାଉଥିବାରୁ ସେମାନେ ଆଇ.ଟି.ଆଇ ଗୁଡିକର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାର ଏସ୍‌.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ଭିଡିଓ କଲ୍‌ରେ ସ୍ମାର୍ଟ କ୍ଲାସ୍‌ର ସ୍ଥିତି ଦେଖିଲା ପରେ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

Latest Posts

Don't Miss