ଦିନକ ପରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରିବେ ସ୍ମାର୍ଟ କାର୍ଡ ପ୍ରଦାନ

ବଲାଙ୍ଗୀର ପାଇଁ ବିକାଶର ବ୍ଲୁପ୍ରିଣ୍ଟ । ଆଉ ଦିନକ ପରେ ବଲାଙ୍ଗୀରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ହରିଶଙ୍କର, ନୃସିଂହନାଥ ରୂପାନ୍ତର ପ୍ରକଳ୍ପର ଶିଳାନ୍ୟାସ କରିବେ । ବଲାଙ୍ଗୀରର ବିକାଶ ପାଇଁ ପ୍ରାୟ ୬ଶହକୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ତୃଣମୂଳସ୍ତରରେ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାର ୧୪ଟି ବ୍ଲକ ପାଇଁ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ଦଳୀୟ ଉପଦେଷ୍ଟାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି ।

ସୁସ୍ଥ ବଲାଙ୍ଗୀର ପାଇଁ ସ୍ମାର୍ଟ ସ୍ୱପ୍ନ । ବଲାଙ୍ଗୀର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ବଦଳିବ ଭିତ୍ତଭୂମି, ଲାଗିବ ବିକାଶର ରଙ୍ଗ । ହରିଶଙ୍କର, ନୃସିଂହନାଥ ପ୍ରକଳ୍ପର ପଡିବ ନିଅ । ୨୨ତାରିଖରେ ବଲାଙ୍ଗୀର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଡ ଦେଖାଇ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ । ପ୍ରତି ପରିବାରକୁ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ। ରାଜ୍ୟ ସହ ଦେଶର ୨୦୦ଟି ହସପିଟାଲରେ କାର୍ଡ ଜରିଆରେ ମିଳିବ ଚିକିତ୍ସା ସୁବିଧା ।

ସ୍ୱତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରୁ ଟିଟିଲାଗଡ଼ ମିନି ଷ୍ଟାଡିୟମ ଯାଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବେ । ଏହାପରେ ପାଟଣାଗଡ଼ରେ ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ହରିଶଙ୍କର ନୃସିଂହନାଥ ବିକାଶ ପ୍ରକଳ୍ପର ଶିଳାନ୍ୟାସ ହେବ । ବଲାଙ୍ଗୀର ଅତ୍ୟାଧୁନିକ ବସଷ୍ଟାଣ୍ଡ ଉଦଘାଟନ କରିବା ସହ ପାନୀୟ ଜଳଯୋଗାଣ, କୃଷି, ଜଳସେଚନ ଭଳି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ମାଲକାନଗିରି, ସୁନ୍ଦରଗଡ଼ ପରେ ବଲାଙ୍ଗିରରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ହରିଶଙ୍କର, ନୃସିଂହ ନାଥ ବିକାଶ ପ୍ରକଳ୍ପର ପଡିବ ନିଅ । ଦୁଇ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ଯ୍ୟଟନକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।

Leave a Reply