ଭୁବନେଶ୍ୱର: ବାସ୍ତବ ହେବାକୁ ଯାଉଛି ସ୍ବପ୍ନର ପ୍ରକଳ୍ପ-ମେଟ୍ରୋ ଟ୍ରେନ । ଟ୍ବିନ୍ ସିଟି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ବର୍ଷ ଭେଟି । ତ୍ରିଶୁଳିଆରେ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ । ବିମାନବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତ୍ରିଶୁଳିଆ ଅଭିମୁଖେ ଏକ ବିରାଟ ଶୋଭାଯାତ୍ରା ଓ ରୋଡ଼ ସୋ ରେ ଯିବେ । ସବୁ ପ୍ରମୁଖ ଛକରେ ସମ୍ବର୍ଦ୍ଧନା ଓ କୃତଜ୍ଞତା ପାଇଁ ହଜାର ହଜାର ଲୋକ ଏକାଠି ହେବେ ।
କଟକ ଜିଲ୍ଲା ବାରଙ୍ଗରେ ଗଡିବ ଐତିହାସିକ ମେଟ୍ରୋ ଟ୍ରେନ । କଟକ ଓ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଚଳାଚଳ ହେଲେ ତ୍ରିଶୂଳିଆ ଛକ ହେବ ପରିବହନର ମୁଖ୍ୟ କେନ୍ଦ୍ରସ୍ଥଳୀ । ଯାହାକୁ ନେଇ ଏବେ ବାରଙ୍ଗ ଅଞ୍ଚଳବାସୀଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବାରଙ୍ଗ ମୌଜାରେ ମେଟ୍ରୋ ଟ୍ରେନ ପ୍ରକଳ୍ପର କେନ୍ଦ୍ରୀୟ ଓ୍ବାର୍କସପ୍ କରାଯିବ। ବାରଙ୍ଗ ଅଞ୍ଚଳରେ ଐତିହାସିକ ମେଟ୍ରୋ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ 5T ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାରଙ୍ଗ ବାସୀ । ଐତିହାସିକ ମେଟ୍ରୋ ପ୍ରକଳ୍ପର କାମକୁ ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖିଥିବା ବେଳେ କାମ କିଭଳି ଦ୍ରୁତ ଗତିରେ ଆଗେଇବ ସେନେଇ ଭୁବନେଶ୍ୱରଠୁ ତ୍ରିଶୂଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ତ୍ରିଶୁଳିଆ ଯିବା ବେଳେ ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକର୍ପିତ କରିବେ । କ୍ୟାପିଟାଲ ହସ୍ପିଟାଲ, ଶାସ୍ତ୍ରୀନଗର, ଜୟଦେବ ବିହାର, ଜାଭିୟର ଛକ, ରେଲ ସଦନ, ଚନ୍ଦ୍ରଶେଖରପୁର, ପଟିଆ, କିଟ୍ ଛକ, ନନ୍ଦନବିହାର, ରଘୁନାଥପୁର, ବାରଙ୍ଗ, ଫୁଲପୋଖରୀରେ ସମ୍ବର୍ଦ୍ଧନା ପର୍ବର ଆୟୋଜନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୬ହଜାର କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର।

