ଏପ୍ରିଲ ୩ରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ, ଆସିବ ବଡ଼ ନିବେଶ

ଭୁବନେଶ୍ବର: ଜାପାନରୁ ଆସିବ ବଡ଼ ନିବେଶ । ଏପ୍ରିଲ ୩ରେ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ସମୟରେ ଓଡ଼ିଶାରେ ଜାପାନର ବଡ଼ ବଡ଼ କମ୍ପାନୀ କିପରି ପୁଞ୍ଜିନିବେଶ କରିବେ ସେ ନେଇ ଗୁରୁତ୍ବ ଦିଆଯିବ । ବିଶେଷ କରି ଜାପାନର ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରକୁ ଫୋକସ କରିବେ ମୁଖ୍ୟମନ୍ତ୍ରୀ । ଜାପାନରୁ ଓଡ଼ିଶାକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ଆଣିବାକୁ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ଓ ରୋଡ୍ ଶୋ’ କରି ଆକୃଷ୍ଟ କରାଯିବ । ବିଦେଶରୁ ପୁଞ୍ଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦମ୍ୟକୁ ପ୍ରଶଂସା କରିଛନ୍ତି ବିଶେଷଜ୍ଞ ।

ରୋମ ,ଦୁବାଇ ପରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରି ନିବେଶ ସମ୍ମିଳନୀରେ ସାମିଲ ହେବା ସହ ରୋଡ୍ ଶୋ’ କରିବେ । ଦୁବାଇରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି । ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ । ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଦ୍ବାରା ଅଧିକ ପୁଞ୍ଜି ଆସିବାର ଆଶା ରଖିଛି ଶିଳ୍ପ ବିଭାଗ ।

ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସୁସମ୍ପର୍କକୁ ଆହୁରି ମଜବୁତ କରିବ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ । ପୂର୍ବରୁ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବିଦେଶରୁ ବଡ଼ ପୁଞ୍ଜି ଆଣିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଓ ଦୁବାଇ ଗସ୍ତ ପରେ ବିଦେଶରୁ ପୁଞ୍ଜିର ସୁଅ ଛୁଟିଥିଲା । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ୩ ରାଜ୍ୟରେ ଓଡ଼ିଶା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବେଶ ସଫଳ ହେବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି ।

ଓଡ଼ିଶା ଏବେ ଶିଳ୍ପର ହବ ପାଲଟିଛି । ପ୍ରାକୃତିକ ସମ୍ପଦରେ ଭାରତର ଟପ୍ ୧୧ଟି ଆଇଟିଆଇ ସଂସ୍ଥା ଓଡ଼ିଶାରେ ରହିଛି । ଏଡିବି ଓ ସିଙ୍ଗାପୁରର ଆଇଟିଇଇଏସ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଓଡ଼ିଶାର ଦକ୍ଷ ମାନବ ସମ୍ବଳ ମଧ୍ୟ ପୁଞ୍ଜିନିବେଶ ଲାଗି ସହାୟକ ହୋଇଛି । ଏବେ ଜାପାନର ୫୨ଟି କମ୍ପାନୀ ରାଜ୍ୟର ବିଭିନ୍ନ ସେକ୍ଟରରେ ବାଣିଜ୍ୟ କାରବାର କରୁଛନ୍ତି । ଆଗକୁ ଏହି ଧାରା ଅଧିକ ତ୍ବରାନ୍ବିତ ହେବ ବୋଲି ରାଜ୍ୟ ସରକାର ଆଶା ରହିଛନ୍ତି ।