ଜାମୁଝରୀରେ ହେବ ବିଶ୍ବସ୍ତରୀୟ ସବୁଜ ବଳୟ ମଡେଲ କାରାଗାର, କାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଡେଲ କାରାଗାରର କରିବେ ଭିତ୍ତିପ୍ରସ୍ତର ସ୍ଥାପନ । ଜାମୁଝରୀଠାରେ ନିର୍ମାଣ ହେବ ଏହି ବିଶ୍ବସ୍ତରୀୟ କାରାଗାର । ଏହା ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜବଳୟ ମଡେଲ କାରାଗାର ହେବ । ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କାରାଗାରରେ ବିଶ୍ବସ୍ତରୀୟ ଭିତ୍ତିଭୂମୀ ରହିବ ।

ଆଗାମୀ ୫୦ ବର୍ଷର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଜେଲରେ ପରିକଳ୍ପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଜେଲଟି ସଂପୂର୍ଣ୍ଣ ଆଶ୍ରମ ଢାଞ୍ଚାରେ ନିର୍ମାଣ କରାଯିବ । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ଅନେକ ରିସର୍ଚ ଓ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ବେଙ୍ଗାଲୁରୁ, ହାଇଦ୍ରାବାଦ୍, ଗୁରଗାଓଁ, ରୋହତକ, ପାନିପଥ, ଅମ୍ରିତସର, ଦିଲ୍ଲୀର ତିହାର, ମଡେଲ ଜେଲ୍ ଓ ହରିଆନାର ନୁହ୍ ଜେଲ ପରିଦର୍ଶନ ପରେ ଜମୁଝରୀ ସବୁଜ ବଳୟ ମଡେଲ କାରାଗାରର ଡିଜାଇନ୍ ପ୍ରସ୍ତୁତ କରାଯାଇଛି । 5T ଉପକ୍ରମରେ ନିର୍ମାଣ କରାଯିବ ଏହି କାରାଗାର । ଏଥିରେ ଟେକ୍ନୋଲୋଜି ମାଧ୍ୟମରେ ସ୍ବଚ୍ଛତା, ଡିଜିଟାଲ୍ ପେମେଣ୍ଟ, ବାୟୋମେଟ୍ରିକ୍ ବେସ୍ଡ୍ କ୍ୟାଣ୍ଟିନ୍, ଇ-କୋର୍ଟ ରୁମ୍, ଆଡଭାନ୍ସ ଟିଆଇ ରୁମ୍, ଏକାଧିକ ଭିଡିଓ୍ କନଫ୍ରେନ୍ସ ସୁବିଧା, କଏଦୀକୁ ପୁରା ପରିବାର ଦେଖା କରିବା ସୁବିଧା ରହିବ ।

ଜେଲରେ କଏଦୀମାନଙ୍କ ପୃଥକୀକରଣ କରାଯିବ। ବିଚାରଧିନ କଏଦୀ, ଦୋଷୀ, ଗ୍ୟାଙ୍ଗଷ୍ଟାର ଓ କୁଖ୍ୟାତ ଅପରାଧୀ, ଯୁବ ଓ ପ୍ରଥମ ଥରର ଅଭିଯୁକ୍ତ, ମହିଳା କଏଦୀ, କିନ୍ନର, ମାନସିକ ବିକୃତ କଏଦୀ ସମସ୍ତଙ୍କୁ ଅଲଗା ଅଲଗା ରଖାଯିବାର ବ୍ୟବସ୍ଥା କରାଯିବ । ଜେଲରେ ସଂସ୍କାର ଓ ପୁନର୍ବାସ ବ୍ୟବସ୍ଥା କରାଯିବ । ଏଥିପାଇଁ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍ ପ୍ରଦାନ କରାଯିବ । କଏଦୀମାନଙ୍କ ପାଇଁ ଶାରୀରୀକ ବ୍ୟାୟାମ୍, ଖେଳ ଓ ଜିମର ବ୍ୟବସ୍ଥା କରାଯିବ । ଯୋଗ, ଧ୍ଯାନ ରୁମ ରହିବ । ଜେଲ କମ୍ୟୁନିଟି ରେଡିଓ, ବ୍ୟବହାରରେ ପରିବର୍ତ୍ତନ ପାଇଁ ତାଲିମ୍ ଏବଂ କାଉନ୍ସେଲିଂ ରୁମ୍ ନିର୍ମାଣ କରାଯିବ । ଏହାସହ ୧୨୫ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୧୦ଟି ଆଇସିୟୁ ବେଡ୍, ମାନସିକ ରୋଗୀ ଓ୍ବାର୍ଡ, ଡେଣ୍ଟାଲ କେୟାର, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ୍ ସେଣ୍ଟର ରହିବ । ଏହି ମଡେଲ ଜେଲରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୫ ଶହ କଏଦୀ ଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ ହଜାର ୫ ଶହ କଏଦୀ ରହିବାର କ୍ଷମତା ରହିବ ।