ଆଜି କଟକ ଓ ଖୋର୍ଦ୍ଧାରେ ଖୋଲିବ ବିକାଶର ପେଡ଼ି, ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ

1 min read
CM Naveen To Distribute BKSY Card In Cuttack And Khordha

କଟକ/ଖୋର୍ଦ୍ଧା: ସ୍ମାର୍ଟ ସେବାରେ ସାମିଲ୍ ହେବ ସିଲଭର ସିଟି । ଆଜି କଟକରେ ଲେଖା ହେବ ସେବା ଆଉ ବିକାଶର ନୂଆ କାହାଣୀ । ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେୱାଇ ସ୍ମାର୍ଟ କାର୍ଡ ବାଣ୍ଟିବା ସହିତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବାଲିଯାତ୍ରା ପଡ଼ିଆରେ ହୋଇଛି ବ୍ୟାପକ ପ୍ରସ୍ତୁତି । ସକାଳ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ।

ଏହା ସହିତ ଜିଲ୍ଲାବାସୀଙ୍କୁ ଦେଢ଼ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପାନୀୟ ଜଳଯୋଗାଣ, ସହରାଞ୍ଚଳର ବିକାଶ ସହିତ ଜଳସମ୍ପଦ ଓ ମହିଳା ଶିଶୁ ବିକାଶ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଗସ୍ତକୁ ନଜରରେ ରଖି କଟକରେ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା ।

 CM Naveen To Distribute BSKY Card In Cuttack And Khordha
FILE PIC

ଏଥିସହ ପଢ଼ନ୍ତୁ: ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେଲା ଗଞ୍ଜାମ, ମୁଖ୍ୟମନ୍ତ୍ରୀ ଦେଲେ ୨୧୪୦ କୋଟି ଟଙ୍କାର ଭେଟି

ଆଜି ଖୋର୍ଦ୍ଧାରେ ବି ଖୋଲିବ ବିକାଶ ପେଡ଼ି । ସ୍ୱାସ୍ଥ୍ୟ ବିପ୍ଲବରେ ସାମିଲ ହେବ ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲାବାସୀଙ୍କୁ ବିଏସକେୱାଇ ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୪୦ରେ ବେଗୁନିଆସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ଖୋର୍ଦ୍ଧା ଜିଲ୍ଲା ପାଇଁ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ ସହିତ ବିଭିନ୍ନ ଜନହିତକର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ । ଜିଲ୍ଲା ପାଇଁ ମୋଟ ୯୮୭ କୋଟି ୯୭ ଲକ୍ଷ ଟଙ୍କାରେ ୫୩୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ୯୦୨କୋଟି ୪୪ଲକ୍ଷ ଟଙ୍କାର ୪୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ ।

୧୮୮ କୋଟି ୨୬ ଲକ୍ଷ ଟଙ୍କାରେ ରାସ୍ତାଘାଟ ଓ କୋଠାବାଡ଼ି ନିର୍ମାଣର ୧୧ଟି ପ୍ରକଳ୍ପ ସହିତ ୩୪୦ କୋଟି ୪୦ ଲକ୍ଷ ଟଙ୍କା ବିନିମୟରେ ସ୍ୱାସ୍ଥ୍ୟ ସେବା, ମହିଳା ଓ ଶିଶୁ ବିକାଶ ପାଇଁ ୮୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ସେହିପରି ୧୧୪ କୋଟି ୭ ଲକ୍ଷ ଟଙ୍କା ବିନିମୟରେ ଶିକ୍ଷା, ସହରାଞ୍ଚଳ, ସମବାୟ, ରାଜସ୍ୱ, କ୍ରୀଡ଼ା ଆଦି କ୍ଷେତ୍ର ପାଇଁ ୨୯୧ଟି ପ୍ରକଳ୍ପ ଏବଂ ୨୫୯ କୋଟି ୭୧ ଲକ୍ଷ ଟଙ୍କାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୧୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ସେହିପରି ୮୫ କୋଟି ୫୩ ଲକ୍ଷ ଟଙ୍କାର ୧୨୬ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା ।

Leave a Reply