ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର

1 min read

ଭୁବନେଶ୍ବର: ବୁଧବାର ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର । ଲୋକାର୍ପିତ ହେବ ବଲାଙ୍ଗୀରର ଜୀବନ ରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ବଲାଙ୍ଗୀର ଯାଇ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହା ସହିତ ୩୦୫ କୋଟି ଟଙ୍କା ବିନିଯୋଗରେ ୬୯ଟି ପ୍ରକଳ୍ପର ଉଦଘାଟନ ଓ ୨ହଜାର ୨୨୦ କୋଟି ଟଙ୍କାରେ ୧୧୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ  । ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୨୦୬ଟି ଗାଁର ଲୋକେ ଉପକୃତ ହେବେ । ପ୍ରାୟ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ସହ ୭୦ ହଜାର ଲୋକଙ୍କୁ ମିଳିବ ପିଇବା ପାଣି । ୧୯୯୮ ମସିହାରେ ଲୋୟର ସୁକତେଲ ଜଳସେଚନ ପାଇଁ ଯୋଜନା ହୋଇଥିଲା । ୨୦୨୧ ମସିହାରେ ପ୍ରକଳ୍ପଟି 5Tଅଧୀନକୁ ଆସିବା ପରେ ରକେଟ ବେଗରେ ଆଗେଇଥିଲା କାମ ।

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗ୍ରାଉଣ୍ଡ ସମୀକ୍ଷା କରିବା ସହ ସପ୍ତାହକୁ ସପ୍ତାହ ଅପଡେଟ୍ ନେଇଥିଲେ। ଗତ ଅଗଷ୍ଟ ମାସରେ ବଲାଙ୍ଗୀର ଯାଇ ପ୍ରକଳ୍ପ ଅଗ୍ରଗତି ତଦାରଖ କରିଥିଲେ । ଲୋୟର ସୁକତେଲର ପାଣିକୁ ମୁଣ୍ଡରେ ମାରି ପ୍ରଣାମ କରିଥିଲେ ପାଣ୍ଡିଆନ । ଫାଇଭ-ଟି ଉପକ୍ରମରେ ତ୍ବରିତ କାର୍ଯ୍ୟଯୋଗୁ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇଛି। ଡ୍ୟାମର ଜଳଧାରଣ କ୍ଷମତା ୩୨୦.୨୮ ଲକ୍ଷ କ୍ୟୁବିକ ମିଟର ରହିଥିବା ବେଳେ ପ୍ରକଳ୍ପ ଦ୍ବାରା ଏକ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫ ହଜାର ୨୫୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୨୮ ଟି ଗାଁର ଲୋକ ନିଜର ଜମି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଗୁରବେଡା ସ୍ଥିତ ଲୋୟର ସୁକତେଲ ପ୍ରକଳ୍ପଠାରେ ଜିଲ୍ଲା ଏସପି ସମୀକ୍ଷା କରିଛନ୍ତି  । ସଭାସ୍ଥଳରେ ୨୨ ହଜାରରୁ ଅଧିକ ଲୋକଙ୍କର ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ୧୫୦ରୁ ଅଧିକ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ  ୧୯ ପ୍ଲାଟୁନ ପୁଲିସ ଫୋର୍ସ ଓ ଗୃହରକ୍ଷୀ ବାହିନୀ ମୁତୟନ ହେବେ ।