ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଓଡ଼ିଶାକୁ ଅନ୍ୟରାଜ୍ୟରେ ଫସି ରହିଥିବା ଶ୍ରମିକ ଫେରିବା ଏବେ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ କାମ ହରାଇ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ  ଆଲୋଚନା କରିଛନ୍ତି ।  ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନାରେ  ଖାଦ୍ୟ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାରୁ ଯେପରି ବଞ୍ଚିତ ନରୁହନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କଡ଼ା ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗାରେ ଜରିଆରେ ୫ ଲକ୍ଷ ମାନବ ଦିବସକୁ ଦୁଇ ଗୁଣିତ କରି ଦୈନିକ ୧୦ ଲକ୍ଷ ମାନବ ଦିବସ ସୃଷ୍ଟି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ପାଖରେ ରାସନ କାର୍ଡ ନଥିଲେ ମଧ୍ୟ ସେମାନଙ୍କୁ ରାସନ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଓଡ଼ିଶା ଫେରୁଥିବା ଶ୍ରମିକ ମାନଙ୍କର ରାସନ କାର୍ଡ ଥାଉ ବା ନଥାଉ ସେମାନଙ୍କୁ ପରିବାରକୁ ଖାଦ୍ୟ ସାମଗ୍ରୀ ମିଳିବା ସୁନିଶ୍ଚିତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାସନ ପାଇବାରେ  ଯେପରି  ଶ୍ରମିକ  କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ଉପରେ ନଜର ରଖିବାକୁ  ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି  ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟ ହେଉଛି କୋଭିଡ-19 ନିୟନ୍ତ୍ରଣ ।  ଏହା ଅତିରିକ୍ତ  ଦାୟିତ୍ୱ ନୁହେଁ, ସେଥିପାଇଁ ବିଶେଷ ଯତ୍ନବାନ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  । ଆଗାମୀ ୮/୧୦ ଦିନର ଦୃଶ୍ୟପଟ୍ଟକୁ ଦୃଷ୍ଟିରେ ରଖି ପରିସ୍ଥିତିର ସାମ୍ନା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ନମୁନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । କେନ୍ଦୁପତ୍ର ଶ୍ରମିକଙ୍କ ଜୀବନଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ।

Leave a Reply