ପରିକ୍ରମା ପ୍ରକଳ୍ପ ଆପଣମାନଙ୍କ କାମ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ନବୀନ ନିବାସରେ ଆଧ୍ୟାତ୍ମିକ ପରିବେଶ । ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୂରା ପରିସର। ଏଭଳି ଏଭଳି ଏକ ଆଧ୍ୟାତ୍ମିକ ପରିବେଶରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଏକ ୫୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ । ଭୁବନେଶ୍ବରରେ ପହଞ୍ଚି ସେବାୟତ ଓ ଅନ୍ୟମାନେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରି ନବୀନ ନିବାସକୁ ଆସିଥିଲେ । ନିମନ୍ତ୍ରଣ ପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ  ପ୍ରଦାନ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ପରିକ୍ରମା ପ୍ରକଳ୍ପ ଆପଣମାନଙ୍କ କାମ । ସେବାୟତ ବନ୍ଧୁ ଓ ପୁରୀବାସୀଙ୍କ କାମ । ଏହି  ପବିତ୍ର  କାମ ପାଇଁ  ଯାହା  ଆବଶ୍ୟକ ସବୁ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ  ବୋଲି  ମୁଖ୍ୟମନ୍ତ୍ରୀ କହିଥିଲେ । ସେବାୟତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆପଣ  ଇତିହାସ ରଚିଲେ । ଯୁଗ ଯୁଗ ପାଇଁ ଆପଣଙ୍କ ନାମ ଲିପିବଦ୍ଧ ହୋଇରହିବ। ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଆପଣଙ୍କ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦିନରାତି ପରିଶ୍ରମ କରି ବହୁତ ଭଲ କାମ କରୁଛନ୍ତି । ସାରା ଓଡିଶାର ରୂପରେଖରେ ପରିବର୍ତ୍ତନ ଆଣିଛନ୍ତି ।

ସେବାୟତଙ୍କ ସହିତ ଆଲୋଚନା କରି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ, ପରିକ୍ରମା ପ୍ରକଳ୍ପ ସମ୍ଭବ  ହୋଇପାରିଛି  ପୁରୀ  ବାସୀଙ୍କ  ତ୍ୟାଗ  ଯୋଗୁ ।  ସେବାୟତମାନଙ୍କ  ତ୍ୟାଗ  ଯୋଗୁ । ଆପଣମାନଙ୍କ ଅତୁଳନୀୟ  ତ୍ୟାଗ  ସବୁଦିନ  ପାଇଁ  ସମସ୍ତେ  ଶ୍ରଦ୍ଧାର  ସହ  ମନେରଖିବେ । ପରିକ୍ରମା ପ୍ରକଳ୍ପ କାମ ସମୟରେ ଅନେକ ବାର  ବହୁତ ଅସୁବିଧା କିପରି ମହାପ୍ରଭୁଙ୍କ ଆଶୀର୍ବାଦରେ ଦୂର ହୋଇଛି ଏବଂ କାମ ସବୁ ଭଲ ଭାବରେ ଆଗେଇ ଚାଲିଥିଲା, ସେ ବିଷୟରେ ପାଣ୍ଡିଆନ ନିଜ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ । ପୁରୀ ସହରର ବିକାଶ ପାଇଁ ତଥା ସେବାୟତ ମାନଙ୍କ କଲ୍ୟାଣ ପାଇଁ ଯାହାକିଛି ଆବଶ୍ୟକ, ମୁଖ୍ୟମନ୍ତ୍ରୀ ସବୁକିଛି କରିବେ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ସେବାୟତ ମାନଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।