ବଲାଙ୍ଗୀରରେ ବିଏସ୍‌କେଓ୍ୱାଇ ଯୋଜନାର ଶୁଭାରମ୍ଭ: ୬୦୦ କୋଟି ଟଙ୍କା ପ୍ରକଳ୍ପର ମଧ୍ୟ କଲେ ଭିତ୍ତିପ୍ରସ୍ତର ସ୍ଥାପନ

1 min read

ବଲାଙ୍ଗୀର: ବଲାଙ୍ଗୀର ବିକାଶରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ସ୍ୱାସ୍ଥ୍ୟରୁ ସୌନ୍ଦର୍ଯ୍ୟ ସବୁ କ୍ଷେତ୍ରରେ ବିକାଶ ନେଇ ସରକାର ପ୍ରସ୍ତୁତ କରିଛନ୍ତି ବ୍ଳୁ-ପ୍ରିଣ୍ଟ । ବୁଧବାର ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ପାଟଣାଗଡରେ ମୁଖ୍ୟମନ୍ତ୍ରୀ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ । ଏଥିସହିତ ବିଏସ୍‌କେଓ୍ୱାି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କିଛି ହିତାଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆଁଖାଇ ଜୁହାର ଜଣାଇବା ସହ ବଲାଙ୍ଗୀର ଗସ୍ତ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଥିଲେ ଯେ, ଏହି କାର୍ଡ ନୂଆ ରୂପରେ କାର୍ଯ୍ୟକାରୀ କରୁଛି । ୯୬ ଲକ୍ଷ ପରିବାର ଏହା ପାଇବେ। ବଲାଙ୍ଗୀର ଜିଲ୍ଲାର ସାଢ଼େ ୪ ଲକ୍ଷ ଓ ରାଜ୍ୟର ସାଢ଼େ ୩ କୋଟି ଏହି କାର୍ଡ ପାଇବେ । ଦେଶର୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ଏହି ସେବା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଚିକିତ୍ସା ପାଇଁ କିଏ ସୁନା ବିକେ କିଏ ଚୁଡି, ସେଥିପାଇଁ ମତେ ବହୁତ ଦୁଃଖ ଲାଗେ। ଏହି ଦୁଃଖ ଦୂର କରିବାରେ ଏହି କାର୍ଡ ସାହାଯ୍ୟ କରିବ । ସଞ୍ଚୟ କରିଥିବା ଟଙ୍କା ପରିବାରର ବିକାଶ ଓ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ। ପ୍ରତି ଜୀବନ ମୋ ପାଇଁ ମୂଲ୍ୟବାନ। ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ ।

ସେ ଆହୁରି କହିଥିଲେ ଯେ,ଏହି କାର୍ଡ ପାଖରେ ରହିଲେ, ଚିକିତ୍ସା ପାଇଁ କୌଣସି ଡକୁମେଣ୍ଟ ଦରକାର ନାହିଁ । କେବଳ କାର୍ଡଟିକୁ ନେଇ ଲୋକମାନେ ଦେଶର ୨୦୦ ବଡ ବଡ ହସପିଟାଲରେ ବିନା ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ପାଇପାରିବେ । ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ। ଟଙ୍କା ପାଇଁ କେହି ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ, ଏହା ହିଁ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତେ ସୁସ୍ଥରେ ରହିଲେ ହିଁ ରାଜ୍ୟର ପ୍ରଗତି ହୋଇପାରିବ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ ଗସ୍ତ କରି ସେଠାରେ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିଥିଲେ । ଟିଟିଲାଗଡ-ସଇଁତଳା ବ୍ଲକ୍‌ରେ ସଂପୂର୍ଣ୍ଣ ହୋଇଥିବା ପାଇପ ପାଣି ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଟିଟିଲାଗଡ ଟାଉନ୍‌କୁ ସବୁ ଘରକୁ ପାଇପ ପାଣି ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ ।

ପାଟଣାଗଡରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପ ମଧ୍ୟରେ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହରିଶଙ୍କର ପୀଠ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ତୀର୍ଥକ୍ଷେତ୍ର ହେବା ସହିତ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ । ଏଠାକୁ ଆସୁଥିବା ଭକ୍ତମାନଙ୍କୁ ଏକ ସୁନ୍ଦର, ଆଧ୍ୟାତ୍ମିକ ଅନୁଭୂତି ଦେବା ପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ଏ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ପ୍ରସାର ବୃଦ୍ଧି ହେବ ବୋଲି ସେ କହିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସେଠାରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଓ ସ୍ବାସ୍ଥ୍ୟ ହେଉଛି ଆମ ସବୁ ବିକାଶର ମୂଳଦୂଆ । ସେଥିପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ଦୁଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ସହିତ ସବୁ ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ୫-ଟିରେ ରାଜ୍ୟର ସ୍କୁଲ ଗୁଡିକର ରୂପାନ୍ତର କରାଯାଉଛି ଓ ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ସ୍କୁଲର ରୂପାନ୍ତର କରାଯାଉଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ବିକ୍ରମ କେଶରୀ ଆରୁଖ, ନିରଞ୍ଚନ ପୂଜାରୀ, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ନବ ଦାସ,  ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର, ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ନରସିଂହ ମିଶ୍ର, ବିଧାୟକ  ସରୋଜ ମେହେର, ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ ଓଟିଡିସିର ଅଧ୍ୟକ୍ଷା  ଶ୍ରୀମୟୀ ମିଶ୍ର, ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ ।

Leave a Reply