ଲୋକଙ୍କ ସାଥୀରେ ସିଏମଓ, ଚାଲିଛି ଜନଶୁଣାଣି ଓ ଦୂର ହେଉଛି ସମସ୍ୟା

1 min read

ଭୁବନେଶ୍ୱର: ଲୋକଙ୍କ ସାଥୀରେ ସିଏମଓ । ଚାଲିଛି ଜନଶୁଣାଣି, ଦୂର ହେଉଛି ସମସ୍ୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ ଲୋକଙ୍କ ପାଖରେ ପହଞ୍ଚି କାମ କରୁଛନ୍ତି । ବିକଶିତ ଓଡ଼ିଶା ଗଠନରେ ପ୍ରତ୍ୟେକ ଓଡ଼ିଆ ସାମିଲ ହେବା ପାଇଁ ସିଏମଓ ସହ ଯୋଡ଼ି ହେଉଛନ୍ତି । ସିଏମଓ ଜନଶୁଣାଣିରେ ଅଞ୍ଚଳର କାମ ହେଉଥିବାରୁ ଏହାକୁ ସବୁ ମହଲରୁ ସ୍ବାଗତ କରାଯାଉଛି । ତେଣୁ ବିକାଶ କାର୍ଯ୍ୟକୁ ସହିନପାରି କେହି ବିରୋଧ କଲେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ କି ବିକାଶ ରଥକୁ କେହି ଅଟକାଇ ପାରିବେ ନାହିଁ ବୋଲି ବିଜେଡି କହିଛି । ବିକାଶ ଓ ଲୋକଙ୍କ କାମକୁ ବିଜେପି ସହି ନପାରି ହୀନ ରାଜନୈତିକ ବୟାନବାଜି କରୁଥିବାରୁ ବିଜେଡି ବିଧାୟକ ଓ ସାଂସଦ କଡ଼ା ଜବାବ ଦେଇଛନ୍ତି  । ଦ୍ରୁତ ଶିଳ୍ପାୟନ ସହ ସ୍କୁଲ ରୂପାନ୍ତରଣ, ବିଜୁସେତୁ, ପର୍ଯ୍ୟଟନସ୍ଥଳୀ ଓ ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ହେଉଛି  । ଏସବୁକୁ ବିରୋଧ କରୁଥିବା ବିଜେପିକୁ ଆଗାମୀ ଦିନରେ ଲୋକ ଉଚିତ ଜବାବ ଦେବେ ବୋଲି ବିଜେଡି ସାଂସଦ ଓ ବିଧାୟକ କହିଛନ୍ତି ।

5T ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜେପିର ଆରୋପକୁ ବରିଷ୍ଠ ରାଜନେତାମାନେ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ କାମ କରୁଛନ୍ତି ଓ ନିର୍ବାଚନମଣ୍ଡଳୀ ନୂଆରୂପ ପାଉଥିବାରୁ ବିଧାୟକମାନେ ଖୁସି ପ୍ରକାଶ କରିଛନ୍ତି‌ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ସିଏମଓ ଦ୍ବାରା ହେଉଥିବା ବିକାଶ କାମକୁ ପ୍ରଶଂସା କରିଛନ୍ତି ।

ସିଏମଓ ଏହାରି ଭିତରେ ୨୦ଟି ଜିଲ୍ଲାରେ ଜନଶୁଣାଣି କରିସାରିଛନ୍ତି । ଜିଲ୍ଲାସ୍ତରରୁ ୧୮ ହଜାରରୁ ଅଧିକ ଅଭିଯୋଗ ଆସିଛି  । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରାଯାଉଛି ଓ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପ୍ରକ୍ରିୟା ଦ୍ରୁତଗତିରେ ଚାଲିଛି । ସବୁ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ  କରିବାକୁ ସିଏମଓ କାମ କରୁଛି । ଯାହାକୁ ରାଜ୍ୟ ବିଜେପି ହଜମ କରିପାରୁନାହିଁ  । ବିଜେପିକୁ ବିଜେଡି କେବଳ ନିର୍ବାଚନରେ ନୁହେଁ, ଲୋକଙ୍କ ସେବା କରି କଡ଼ା ଜବାବ ଦେବ ବୋଲି କହିଛି ।