spot_img

Latest Posts

ପାରାଦୀପ ବନ୍ଦରରୁ ଜବତ ହେଲା ୨ଶହ କୋଟି ଟଙ୍କାର କୋକେନ

ପାରାଦୀପ: ପାରାଦୀପ ବନ୍ଦରରୁ ଜବତ ହେଲା ୨ଶହ କୋଟି ଟଙ୍କାର କୋକେନ। ଏମଭି-ଦେବୀ ପାନାମା ନାମକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ କରିଛି କଷ୍ଟମସ ବିଭାଗ। ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଏହି ଜାହାଜ ଡେନମାର୍କ ଯାଇଥାନ୍ତା।

ତେବେ ଷ୍ଟିଲ ପ୍ଲେଟ ଲୋଡ଼ କରୁଥିବା ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣା ପଡ଼ିଥିଲା । ପ୍ରଥମେ ୮ଟି ପ୍ୟାକେଟ ମିଳିଥିବା ବେଳେ ପରେ ୧୪ଟି ପ୍ୟାକେଟ ପାଇଥିଲେ ଯାଞ୍ଚ କରୁଥିବା ଅଧିକାରୀ । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଛି। ଜାହାଜକୁ ଜବତ କରି ତଦନ୍ତ କରୁଛନ୍ତି ବିଭିନ୍ନ ଯାଞ୍ଚ ଏଜେନ୍ସି ।

ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି। ଓଡ଼ିଶାରୁ ଏତେ ଟଙ୍କାର କୋକେନ ଜବତ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି।

Latest Posts

Don't Miss