ପିଲାଙ୍କ ଜୀବନ ପ୍ରତି ଖେଳ: ଚିଲିକାରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବିପଦପୂର୍ଣ୍ଣ ଯାତ୍ରା
1 min read
ପିଲାଙ୍କ ଜୀବନ ପ୍ରତି ଖେଳ । ଚିଲିକାରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବିପଦପୂର୍ଣ୍ଣ ଯାତ୍ରା । ସରକାରୀ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ୬୦ ଛାତ୍ରଛାତ୍ରୀ । କାହାର ନଥିଲା ଲାଇଫ ଜ୍ୟାକେଟ । ଗତକାଲି ଚିଲିକା ହ୍ରଦରୁ ଆସିଥିବା ଏଭଳି ଚିତ୍ର ସମସ୍ତଙ୍କୁ ଚକିତ କରିଦେଇଛି । ଅକାତକାତ ପାଣିରେ ପିଲାଙ୍କୁ ନିଆଯାଉଥିବା ବେଳେ କିପରି ପିଲାଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆଗଲାନି ? ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଗତକାଲି ବାଲୁଗାଁ ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୬୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନୌକା ବିହାର କରୁଥିଲା ସରକାରୀ ୱାଇଲ୍ଡ ଲାଇଫ ବିଭାଗର ଡଙ୍ଗା । ଜଳଯାତ୍ରା ଜରିଆରେ ପିଲାଙ୍କୁ ପକ୍ଷୀ ମାନଙ୍କ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା । କିନ୍ତୁ ପିଲାଙ୍କ ସୁରକ୍ଷା ପ୍ରତି କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ୱାଇଲ୍ଡ ଲାଇଫ ଗାର୍ଡ ପର୍ଯ୍ୟନ୍ତ କେହି ବି ଦୃଷ୍ଟି ଦେଇନଥିଲେ ।
ଏଠି ପ୍ରଶ୍ନ ଉଠୁଛି- ବିନା ଲାଇଫ ଜ୍ୟାକେଟରେ ପିଲାଙ୍କୁ ଜଳଯାତ୍ରା କରିବାକୁ ଅନୁମତି ଦେଲା କିଏ ? ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ଛାତ୍ରଛାତ୍ରୀ ଡଙ୍ଗାରେ ବସିଲେ କିପରି ? ଅଘଟଣ ଘଟିଥିଲେ ଦାୟୀ କିଏ ରହିଥାନ୍ତା ? ଏଭଳି ଗୁରୁତର ଅବହେଳା ନେଇ ପ୍ରଶାସନ ଓ ୱାଇଲ୍ଡ ଲାଇଫ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ? ତାହା ଦେଖିବାକୁ ବାକି ରହିଲା ।