କାନ୍ଥରେ ଚାଲିଛି ସୁନ୍ଦର ଝୋଟି ଚିତା । ଯେଉଁଆଡେ ଦେଖିବା ସବୁଠି ପରମ୍ପରା ଓ ସଂସ୍କୃତିର ଝଲକ । କାହିଁକି ନା ଦିନକ ପରେ ମୟୂରଭଞ୍ଜର ଗଣପର୍ବ ମକର । ଉଦଳା, କପ୍ତିପଦା, ଖୁଣ୍ଟା ଏବଂ ଗୋପବନ୍ଧୁନଗର ବ୍ଲକର ପ୍ରତି ଗାଁରେ ଚାଲିଛି ମକର ପ୍ରସ୍ତୁତି । ପ୍ରତି ଘରେ ଚାଲିଛି ଲିପା ପୋଛା । ଘର କାନ୍ଥରେ ଝଟକି ଉଠୁଛି ନାନା ରଙ୍ଗ ବେରଙ୍ଗର ଚିତ୍ର । କେଉଁଠି ଫୁଲ ତ ଆଉ କେଉଁଠି ଆଦିବାସୀ ପରମ୍ପରାର ଲେପ ଦିଆଚାଲିଛି । କେବଳ ସେତିକି ନୁହେଁ ନାଚଗୀତ ପାଇଁ ପାରମ୍ପରିକ ବାଦ୍ୟ ଯନ୍ତ୍ର ମଧ୍ୟ ପ୍ରସ୍ତୁତ ହେଉଛି । ଗାଁ ଗହଳି ହାଟ ମାନଙ୍କରେ ତିଳଉ, ଚୁଡା ଏବଂ ମୁଢି କିଣିବାକୁ ଲୋକଙ୍କ ଭିଡ ଜମୁଛି ।
କପ୍ତିପଦା ଉପଖଣ୍ଡରେ ମକର ପର୍ବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ଉତ୍କଣ୍ଠାର ସହ ଲୋକେ କେବଳ ସେହି ଦିନକୁ ଅପେକ୍ଷା କରିଛନ୍ତି । ମକର ସଂକ୍ରାନ୍ତି ଠାରୁ ୫ ରୁ ୭ ଦିନ ଧରି ଏଠାରେ ଚାଲିବ ମକର ପର୍ବ । ପ୍ରତି ଘରେ ହେବ ପିଠା ପଣା । ଆସିବେ ବନ୍ଧୁବାନ୍ଧବ । ଆଉ ପର୍ବକୁ ମନଭରି ଉପଭୋଗ କରିବେ ସମସ୍ତେ । ଉତ୍ସାହର ସହ ମକର ପର୍ବକୁ ଅପେକ୍ଷା କରିଛନ୍ତି ଆବାଳ ବୃଦ୍ଧ ବନିତା ।

