ଆକ୍ସନ ମୋଡରେ କମିଶନରେଟ ପୋଲିସ: ସିଜ ହେବ ମଦୁଆଙ୍କ ଗାଡ଼ି, ଡ୍ରାଇଭର ଯିବେ ଜେଲ୍

1 min read

ଭୁବନେଶ୍ବର: କଡା ହେଉଛି ମଦୁଆ ଦମନ ଅଭିଯାନ । ଗଳିକନ୍ଦିରେ ଚେକିଂ, ରାସ୍ତା ଉପରେ ବ୍ଳକିଂ । ମଦୁଆଙ୍କୁ ଦମନ କରିବାକୁ ବିଦେଶୀ ଉପାୟ ଆପାଣାଉଛି କମିଶନରେଟ ପୋଲିସ । ଡ୍ରଙ୍କ ଆଣ୍ଡ ଡ୍ରାଇଭ ବିରୋଧରେ ରାଜଧାନୀରେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ ।

ଫରେନ୍ ପୋଲିସ୍ ଭଳି କମିଶନରେଟ ପୋଲିସର ଷ୍ଟାଇଲ । ଡ୍ରଙ୍କ ଆଣ୍ଡ ଡ୍ରାଇଭ ସହ ନିଶାଖୋରଙ୍କୁ କଡା ହସ୍ତରେ ଦମନ । ଖୁବଶୀଘ୍ର ବାର, କ୍ଲବରେ ହେବ ମାରାଥନ ରେଡ୍ । ମଦପିଇ ଗଡି ଚଳାଇଲେ ସିଜ ହେବ ଗାଡ଼ି । ଡ୍ରାଇଭର ଯିବେ ଜେଲ୍ । ମାସକ ଭିତରେ ରାଜଧାନୀରେ ୬୮୬ ଗାଡ଼ି ସିଜ କରିଛି ପୋଲିସ । ୧୦୦ ଜଣଙ୍କ ବିରୋଧରେ ହେଇଛି ମାମଲା । ଅତ୍ୟଧିକ ମଦ୍ୟପାନ କରିଥିବା ଗାଡ଼ି ଚାଳକଙ୍କ ଉପରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଡ୍ରଙ୍କ ଏଣ୍ଡ ଡ୍ରାଇଭ୍ ଘଟଣାରେ ରାତିରେ ଚେକିଙ୍ଗ ବ୍ଲକିଂକୁ କଡାକଡ଼ି ପରେ ଗିରଫ ହେଉଛନ୍ତି ଡ୍ରାଇଭର । ଗୋଟିଏ ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରୁ ୨୫ଟି ଦାମୀ ଗାଡ଼ି ସିଜ ହୋଇଥିବା ବେଳେ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । କେବେଳ ବାଇକ ନୁହେଁ BMW, ଅଡ଼ି ଭଳି ଦାମୀ ଗାଡ଼ି ପୋଲିସ ଆକ୍ସନରୁ ବର୍ତ୍ତି ପାରିନାହିଁ । ମଦ୍ୟପାନ କରି ବାରମ୍ବାର ଧାରା ପଡିଲେ ଗାଡ଼ି ଲାଇସେନ୍ସ ରଦ୍ଦ କରିବା ସହ ରାସ୍ତାରେ ଚଳାଇ ନଦେବା ପାଇଁ ଚେତାବନୀ ଦିଆଯାଇଛି ।

କିଛି ବାର ଓ ପବ ଅବକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ମଧ୍ଯ ନଜର ଆସିଛି । ବଡ଼ି ଭୋର ପର୍ଯ୍ୟନ୍ତ ନାଚ ଗୀତ ଡିଜେ ସାଙ୍ଗକୁ ନିଶାର ଆସର ଜମୁଛି । ଆଗକୁ ନିର୍ବାଚନ ଥିବାବେଳେ ପୋଲିସ ଅସାମାଜିକ ଓ ଅପରାଧୀଙ୍କ ଉପରେ ଲଗାମ ଲଗାଉଛି । ପେସାଦାର ଅପରାଧୀଙ୍କୁ ଥାନାରେ ହାଜିରା ପାଇଁ ନୋଟିସ ହେଉଛି । ଏହାରି ଭିତରେ ବାର ପବଗୁଡିକ ଉପରେ ଆଗାମୀ ଦିନରେ ଚଢ଼ାଉ ବ୍ୟାପକ ହେବା ସହ ଲାଇସେନ୍ସ ରଦ୍ଦ ନେଇ ନିଷ୍ପତ୍ତି ନିଆଯିବ ବୋଲି କଡା ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ପୋଲିସ କମିଶନର ଭାବେ ସଞ୍ଜୀବ ପଣ୍ଡା କାର୍ଯ୍ୟରେ ଯୋଗଦେବା ପରେ ଇନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ଆଗକୁ ଏହା ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛି ପୋଲିସ ।