କୋରାଇ ଟ୍ରେନ ଦୁର୍ଘଟଣା : ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସହାୟତା

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସହାୟତା । ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କୋରାଇ ବିଧାୟକ ଅଶୋକ ବଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ ଓ ଅତିରିକ୍ତ ତହସିଲଦାର ମୃତକଙ୍କ ପରିବାର ନିକଟରେ ପହଞ୍ଚି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ବାବଦକୁ ଚେକ୍ ପ୍ରଦାନ କରିଛନ୍ତି।

୨୧ ନଭେମ୍ବରରେ କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟି ୩ ଜଣ ମହିଳା ପ୍ରାଣ ହରାଇଥିଲେ। ମୃତ ମହିଳାଙ୍କ ମଧ୍ୟରୁ ଜଣେ କୋରାଇ ଥାନା ଶଙ୍ଖପାରୀ ଗ୍ରାମର ସେକ୍ ମୋଇଉଦ୍ଦିନଙ୍କ ପତ୍ନୀ ଅବଜୁନ୍ ବିବି ହୋଇଥିବା ବେଳେ ଅନ୍ୟ ଦୁଇଜଣ ପାଣିକୋଇଲି ଥାନା ତାଜପୁର ଗ୍ରାମର କୁନା ବିନ୍ଧାଣିଙ୍କ ପତ୍ନୀ ପାର୍ବତୀ ବିନ୍ଧାଣି ଓ ଝିଅ କଣ୍ଢେଇ ବିନ୍ଧାଣି।