କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା: ଛିନ୍ଦଓ୍ବାଡାରୁ ଲଢ଼ିବେ କମଲନାଥ, ଶିବରାଜଙ୍କୁ ଟକ୍କର ଦେବେ ରାମାୟଣର ହନୁମାନ

1 min read

ନୂଆଦିଲ୍ଲୀ: ବାଜି ସାରିଛି ୫ଟି ରାଜ୍ୟର ବିଧାନସଭା ମହାସମର ବିଗୁଲ । ତାରିଖ ଘୋଷଣା ପରେ ରାଜନୈତିକ ଦଳଙ୍କ ଗୋଟି ଚାଳନା ଆରମ୍ଭ । ୩ଟି ରାଜ୍ୟ ପାଇଁ ଯୋଦ୍ଧା ଘୋଷଣା କଲା କଂଗ୍ରେସ । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଛିନ୍ଦଓ୍ବାଡ଼ାରୁ ମୈଦାନକୁ ଓହ୍ଲାଇବେ । ସେହିପରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ବିପକ୍ଷରେ ବୁଧନୀରେ କଂଗ୍ରେସ ବିକ୍ରମ ମାସ୍ତାଲଙ୍କୁ ମୈଦାନକୁ ଛାଡିଛି । ମାସ୍ତାଲ ୨୦୦୮ରେ ଆସିଥିବା ରାମାୟଣରେ ହନୁମାନ ଭୂମିକାରେ ଅଭିନୟ କରିଥିଲେ ।

ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ସିଂ ଲାହର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ । ଇନ୍ଦୋର-୧ରେ ବିଜେପି ପ୍ରାର୍ଥୀଙ୍କୁ ଟକ୍କର ଦେବେ ସଞ୍ଜୟ ଶୁକ୍ଲା । । ଏହା ଶୁକ୍ଲାଙ୍କ ପାରମ୍ପରିକ ଆସନ ଓ ବର୍ତ୍ତମାନ ସେ ଏଠାରୁ ବିଧାୟକ ଅଛନ୍ତି ।

ରାଧୋଗଢ଼ରୁ ଲଢ଼ିବେ ଦିଗବିଜୟଙ୍କ ପୁଅ 

ଇନ୍ଦୋର-୨ରେ ଚିନ୍ତାମାଣି ଚୌକସି ଏବଂ ଇନ୍ଦୋର-୪ରୁ ରାଜା ମଧଓ୍ବାନୀଙ୍କୁ ନିର୍ବାଚନ ମୈଦାନକୁ ପଠାଇଛି କଂଗ୍ରେସ । ଅଜୟ ସିଂ ରାହୁଲଙ୍କୁ ଚୁରହଟ, ଲକ୍ଷ୍ମଣ ସିଂଙ୍କୁ ଚାଞ୍ଚୋଡା (ଦିଗବିଜୟ ସିଂଙ୍କ ଭାଇ), ଜୟବର୍ଦ୍ଧନ ସିଂଙ୍କୁ ରାଧୋଗଢ଼ (ଦିଗବିଜୟ ସିଂଙ୍କ ପୁ୍ଅ), ଜିତୁ ପଟଓ୍ବାରୀଙ୍କୁ ରାଓ, ହେମନ୍ତ କଟାରେଙ୍କୁ ଅଟେର ଏବଂ ବିକ୍ରାନ୍ତ ଭୁରିୟାଙ୍କୁ ଝାବୁଆରୁ ଟିକେଟ ମିଳିଛି ।

ଦୀପକ ଜୋଶିଙ୍କୁ ମିଳିଲାନି ଟିକେଟ୍

ହାଟପିପଲ୍ୟାରୁ କଂଗ୍ରେସ ରାଜବୀର ସିଂଙ୍କୁ ଟିକେଟ ଦେଇଛି । ଏହି ଆସନରୁ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଦୀପକ ଜୋଶୀଙ୍କୁ ଟିକେଟ ପାଇଁ ପ୍ରବଳ ଦାବିଦାର କୁହାଯାଉଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାଶ ଜୋଶୀଙ୍କ ପୁଅ ହେଉଛନ୍ତି ଦୀପକ । ହାଟପିପଲ୍ୟାରେ ମନୋଜ ଚୌଧୁରୀଙ୍କୁ ଅଧିକ ମହତ୍ବ ଦିଆଯିବାରେ ଅସନ୍ତୁଷ୍ଠ ହୋଇ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ହେଲେ ମଧ୍ୟପ୍ରଦେଶ ପାଇଁ କଂଗ୍ରେସ ଘୋଷଣା କରିଥିବା ୧୪୪ ଜଣଙ୍କ ତାଲିକାରେ ତାଙ୍କ ନାଁ ନାହିଁ ।

ଛତିଶଗଡ଼ ପାଇଁ ବି କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା

ଛତିଶଗଡ଼ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଳ ପାଟନରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ଉପମୁଖ୍ୟମନ୍ତ୍ରୀ ଟିଏସ ସିଂଦେଓ ନିଜ ପାରମ୍ପରିକ ସିଟ୍ ଅମ୍ବିକାପୁରରୁ ନିର୍ବାଚନ ଲଢ଼ିବେ । ଚତିଶଗଡ଼ଣ ୩୦ ଆସନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ସେହିପରି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତେଲଙ୍ଗାନା ପାଇଁ ୫୫ ଜଣଙ୍କ ନାଁ ପ୍ରକାଶ ପାଇଛି ।